ଜେଟିପିଙ୍କୁ ସେବାୟତଙ୍କ ମାଡ଼ ଘଟଣା: ରଥ ଦକ୍ଷିଣମୋଡ଼ରେ ବିଳମ୍ବ

ପୁରୀ ଅଫିସ,୯ା୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନକରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁ। ଆସନ୍ତା ୧୨ ତାରିଖରେ ବାହୁଡା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିଲାଗି ପରମ୍ପରା ଅନୁଯାୟୀ ମଙ୍ଗଳବାର ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ତେବେ ସୋମବାର ରାତିରେ ଜେଟିପି ଏବଂ ଦଇତାପତି ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିଲା। ଏହି ବିଳମ୍ବର ପ୍ରଭାବ ଦକ୍ଷିଣ ମୋଡ଼ ନୀତି ଉପରେ ପଡ଼ିଛି । ସକାଳ ସାଢେ ୯ଟାରେ ହେବାକୁ ଥିବା ଗୋପାଳ ବଲ୍ଲଭ ନୀତିରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବାକୁ ଥିଲା । କିନ୍ତୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ରଥ ଆଜ୍ଞାମାଳ ବିଜେ ହୋଇନାହିଁ । ତେଣୁ ଦକ୍ଷିଣମୋଡ଼ ବିଳମ୍ବ ହେବ ବୋଲି କୁହାଯାଉଛି ।

Share