Categories: ବାଣିଜ୍ୟ

ଜେଟ୍‌କୁ ମିଳିଲେନି ନୂଆ ବିଡର

ମୁମ୍ବାଇ, ୩-୯: ଋଣ ସଙ୍କଟରେ ଫସି ବନ୍ଦ ହୋଇ ପଡିଥିବା ଜେଟ ଏୟାରଓ୍ବେଜକୁ ନୂଆ ବିଡର ମିଳିନ ଥିବା ଜଣା ପଡିଛି। ବର୍ତ୍ତମାନ କମ୍ପାନୀ ବିରୋଧରେ ଇନସଲଭେନ୍ସି ମାମଲା ଚାଲିଛି। ପ୍ରାଥମିକ ବିଡିଂ ଲାଗି ଥିବା ବର୍ଦ୍ଧିତ ସୀମା ମଧ୍ୟରେ କୌଣସି ନୂଆ ବିଡର ମିଳି ନ ଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କମ୍ପାନୀ ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଜାରି କରିବାର ତୃତୀୟ ସମୟ ସୀମା ଅଗଷ୍ଟ ୩୧ରେ ଶେଷ ହୋଇଛି। ପୂର୍ବର ପ୍ରକ୍ରିୟାରେ ମାତ୍ର ୩ ସଂସ୍ଥା ବିଡ୍‌ ଦାଖଲ କରିଥିଲେ। ଋଷିଆନ ଫଣ୍ଡ ଟ୍ରେଜେରୀ ଆର୍‌ଏ ପାର୍ଟନର୍ସ, ପାନାମା ଭିତ୍ତିକ ନିବେଶ ଫାର୍ମ ଆଭାଣ୍ଟୋଲୁ ଗ୍ରୁପ ଏବଂ ଦକ୍ଷିଣ ଆମେରିକାର ବିଜନେସ ଗ୍ରୁପ ସିନର୍ଜି କର୍ପୋରେଶନ ଏହା ମଧ୍ୟରେ ସାମିଲ ରହିଛି। କୌଣସି ନୂଆ ବିଡର ମିଳି ନ ଥିବାରୁ ପୁଣି ଥରେ ତାରିଖ ଘୁଞ୍ଚି ନ ପାରେ। ଇଓଆଇ ଦାଖଲ କରିଥିବା ସଂସ୍ଥାକୁ ନେଇ ଯୋଜନା ଆଗକୁ ବଢିବ ବୋଲି ଅଧିକାରୀ କହିଛନ୍ତି। ଅଗଷ୍ଟ ୨୬ରେ ଜେଟ୍‌ ଏୟାରଓ୍ବେଜର କମିଟି ଅଫ୍‌ କ୍ରେଡିଟର (ସିଓସି) ଇଓଆଇ ଦାଖଲର ଶେଷ ତାରିଖକୁ ବଢାଇଥିଲା। ଅଗଷ୍ଟ ୩ ଏବଂ ୧୦ ପରେ ତୃତୀୟ ଥର ଲାଗି ଉକ୍ତ ତାରିଖ ବଢିଥିଲା।

Share