Categories: ବାଣିଜ୍ୟ

ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨୧ା୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି। ଏହା ଉପରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ, ଜେଟ୍‌ର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଯେତେ ଶୀଘ୍ର ସମ୍ଭବ ନିଯୁକ୍ତି ମିଳିଯାଉ ଏହା ସରକାର ଚାହୁଁଛନ୍ତି। ଖୁବଶୀଘ୍ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ। କାରଣ ବେସାମରିକ ବିମାନ ଶିଳ୍ପ ବିକଶିତ ହେଉଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ। ସରକାରୀ ହସ୍ତକ୍ଷେପ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିପଦ ଦେଖାଦେଇଥିବା ଅବସ୍ଥାରେ ସରକାର ହସ୍ତକ୍ଷେପ କରନ୍ତି। ଏହା ସାରା ବିଶ୍ୱରେ ଚାଲିଆସୁଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଓ ଜେଟ୍‌ ମାମଲା ମଧ୍ୟରେ ରହିଥିବା ପାର୍ଥକ୍ୟ ବୁଝିବାକୁ ହେବ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା କାରଣରୁ ଅର୍ଥନୀତି ପ୍ରଭାବିତ ହେବାର ସମ୍ଭାବନା ରହିଛି ଏବଂ ବହୁ ପ୍ରକାର ବିପଦର ସାମ୍ନା କରିବାକୁ ପଡିପାରେ। ଅନ୍ୟପକ୍ଷରେ ଆଇନ ଓ ନିୟାମକୀୟ ଢାଞ୍ଚା ପାଳନ କରି ଜେଟ୍‌ ବ୍ୟବସାୟ କରୁଥିବା ବେଳେ ଏହା ବନ୍ଦ ହୋଇଯିବା ଦ୍ୱାରା ଅର୍ଥନୀତି ଉପରେ ସେଭଳି ପ୍ରଭାବ ପଡ଼ିବ ନାହିଁ ବୋଲି ସିହ୍ନା କହିଛନ୍ତି।

Share