Categories: ବାଣିଜ୍ୟ

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ ସିଂ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜ୍‌ର କର୍ମଚାରୀଙ୍କୁ କମ୍ପାନୀ ଯୋଡ଼ିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଇତିମଧ୍ୟରେ ୧୧୦୦ କର୍ମଚାରୀଙ୍କୁ ଚାକିରି ଦିଆଯାଇଛି। ଆଗାମୀ ଦିନରେ ଏହା ୨୦୦୦ ସଂଖ୍ୟା ଟପିଯିବ। ପାଇଲଟ, ଚାଳକ ଦଳ ସଦସ୍ୟ ଏବଂ ବିମାନ ବନ୍ଦର ସେବା, ସୁରକ୍ଷା ସହ ଜଡ଼ିତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଛନ୍ତି। ସ୍ପାଇସ୍‌ଜେଟ୍‌ ନିକଟରେ ବୋଇଂ ୭୩୭, ବୋମ୍ବାର୍ଡିୟର କ୍ୟୁ ୪୦୦ ଏବଂ ବି୭୩୭ ଫ୍ରାଇଟର ବିମାନ ରହିଛି। ଏହି ଏୟାରଲାଇନ୍ସ ୬୨ ରୁଟ୍‌ରେ ଦୈନିକ ୫୭୫ ଉଡ଼ାଣ ଭରିଥାଏ। ଏଥିରେ ଅନ୍ତର୍ଜାତୀୟ ରୁଟ୍‌ ମଧ୍ୟ ସାମିଲ ହୋଇଛି। ବର୍ତ୍ତମାନ ସ୍ପାଇସ୍‌ଜେଟ୍‌ର କର୍ମଚାରୀଙ୍କ ସଂଖ୍ୟା ୧୪ ହଜାର ରହିଥିବା ବେଳେ ଏହା ନିକଟରେ ୧୦୦ ବିମାନ ରହିଛି। ଏହି ସଂଖ୍ୟକ ବିମାନ ରଖିବାରେ ଏୟାର ଇଣ୍ଡିଆ, ଜେଟ୍‌ ଏୟାରଓ୍ବେଜ ଓ ଇଣ୍ଡିଗୋ ପରେ ସ୍ପାଇସ୍‌ଜେଟ୍‌ ଚତୁର୍ଥ ଭାରତୀୟ ବିମାନ କମ୍ପାନୀ ହୋଇଛି।

Share