ଜେଟ୍‌ଲୀଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ ଓକିଲ, ସଂସଦ ସଭ୍ୟ ଏବଂ ବିଦ୍ୱାନ୍‌ ଥିଲେ। ଗଣତନ୍ତ୍ର ପ୍ରତି ତାଙ୍କର ଯୋଗଦାନ ପ୍ରଗାଢ଼ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ୧୯୫୨ ଡିସେମ୍ବର ୨୮ରେ ଜନ୍ମିତ ଜେଟ୍‌ଲୀ କିଛିଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା। ତେବେ ଜେଟ୍‌ଲୀଙ୍କ ଦେହାନ୍ତ ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।