ଜେଟ୍‌ଲୀଙ୍କ ବିୟୋଗ: ଭାଜପାର ରାଜ୍ୟସ୍ତରୀୟ କର୍ମଶାଳା ସ୍ଥଗିତ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବିୟୋଗ ଯୋଗୁ ରବିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହେବାକୁ ଥିବା କର୍ମଶାଳା ସ୍ଥଗିତ କରାଯାଇଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବାକୁ ଥିଲା। ଏହାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ଦ୍ଦେଶକ୍ରମେ ଏହାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଧାର୍ଯ୍ୟ ତାରିଖ ପରେ ଜଣାଇ ଦିଆଯିବ ବୋଲି ରାଜ୍ୟ ଭାଜପା ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ୧୯୫୨ ଡିସେମ୍ବର ୨୮ରେ ଜନ୍ମିତ ଜେଟ୍‌ଲୀ କିଛିଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା।