Categories: ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ୍‌କୁ ଉଦ୍ଧାର କରିବେ କର୍ମଚାରୀ

ନୂଆଦିଲ୍ଲୀ,୨୯-୬: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ ଉଦ୍ଧାର କରିବା ଲାଗି ଏହାର କର୍ମଚାରୀମାନେ ଆଗେଇ ଆସିଛନ୍ତି। ଏୟାରଲାଇନ୍ସର ୭୫% ଅଂଶଧନ କିଣିବା ଲାଗି ବିଡ୍‌ ଦାଖଲ ଉଦ୍ଦେଶ୍ୟରେ ଜେଟ୍‌ର କର୍ମଚାରୀ ସଂଘ ଏବଂ ଏଡିଆଇ ଗ୍ରୁପ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ସେମାନେ ପାର୍ଟନର ଭାବେ ବିଡ୍‌ ଦାଖଲ କରିବାକୁ ରାଜି ହୋଇଛନ୍ତି। ଜେଟ୍‌ ବନ୍ଦ ହୋଇଯିବା କାରଣରୁ ଏବେ ଏହାର ପ୍ରାୟ ୨୦ ହଜାର କର୍ମଚାରୀ, ପାଇଲଟ, ଇଞ୍ଜିନିୟର ବେକାର ହୋଇଛନ୍ତି। ଏୟାରଲାଇନ ଆରମ୍ଭ ହେଲେ ସେମାନେ ଆଶ୍ୱସ୍ତ ହେବେ। ଅନ୍ୟପକ୍ଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ, ଜେଟ୍‌ର ପୁନରୁଦ୍ଧାର ଏବେ କେବଳ ଦେବାଳିଆ ଅଦାଲତ ଦ୍ୱାରା ହିଁ ସମ୍ଭବ ହେବ। କାରଣ ଏହାର ପ୍ରମୋଟର କମ୍ପାନୀକୁ ପୂରା ପାଣ୍ଠି ଯୋଗାଇଲେ ନାହିଁ। ଏହି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ଏୟାରଲାଇନ୍‌କୁ ଆଉ ସହାୟତା କରିବାକୁ ଅନିଚ୍ଛୁକ ହେଲେ। ସୂଚନାଥାଉ କି, ଟାଟା ଗ୍ରୁପ୍‌ ଓ ହିନ୍ଦୁଜା ଗ୍ରୁପ୍‌ ଜେଟ୍‌ ଏୟାରଓ୍ବେଜ୍‌କୁ କିଣିବା ଲାଗି ଆଗ୍ରହ ଦେଖାଇଥିଲେ ମଧ୍ୟ ପରେ ପଛଘୁଞ୍ଚା ଦେଇଥିଲେ।

Share