Categories: ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ ନେଇ ମାଲ୍ୟାଙ୍କ ଅଭିଯୋଗ;ସରକାର ଘରୋଇ କମ୍ପାନୀଙ୍କ ପ୍ରତି ଭେଦଭାବ କରୁଛନ୍ତି

ନୂଆଦିଲ୍ଲୀ,୧୮-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦୁଃଖ ବ୍ୟକ୍ତ କରିଛନ୍ତି। ଘରୋଇ ଏୟାରଲାଇନ୍ସକୁ ନେଇ କେନ୍ଦ୍ର ସରକାରଙ୍କ ଭେଦଭାବ ନୀତିକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ସରକାର କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ ୩୫ ହଜାର କୋଟି ଟଙ୍କା ଦେଇ ସହାୟତା କରିଥିବା ବେଳେ କିଙ୍ଗଫିଶର ଏୟାରଲାଇନ୍ସ ଏବଂ ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ବାହାରି ଆସିବାରେ କୌଣସି ସହାୟତା କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଜେଟ୍‌ ଏୟାରଓ୍ବେଜ ସଙ୍କଟକୁ ନେଇ ମାଲ୍ୟା ବୁଧବାର ଗୋଟିଏ ପରେ ଗୋଟିଏ ଟୁଇଟ କରିଥିଲେ। ସେ ଲେଖିଛନ୍ତି ଯେ, ଏକଦା କିଙ୍ଗଫିଶରର ବଡ଼ ପ୍ରତିଦ୍ୱନ୍ଦ୍ୱି ଥିଲା ଜେଟ୍‌। କିନ୍ତୁ ତାଙ୍କ ମନରେ ନରେଶ ଏବଂ ନୀତା(ଅନୀତା) ଗୋୟଲଙ୍କ ପ୍ରତି ସହାନୁଭୁତି ରହିଛି। ସେମାନେ ଜେଟ୍‌ ଏୟାରଓ୍ବେଜ ଛିଡା କରିଥିଲେ, ଯାହାକୁ ନେଇ ଭାରତ ଅତ୍ୟନ୍ତ ଗୌରବାନ୍ବିତ ହେବା କଥା।

ଏଭଳି ଏକ ଭଲ ଏୟାରଲାଇନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଏବଂ ଭଲ ସେବା ଯୋଗାଇ ଆସୁଛି। କିନ୍ତୁ ବର୍ତ୍ତମାନ ଏକ ବଡ଼ ଏୟାରଲାଇନର ବିଫଳତା ଦେଖି ତାଙ୍କୁ ଦୁଃଖ ଲାଗୁଛି। ଭାରତରେ ଏତେମାତ୍ରାରେ ଏୟାରଲାଇନ କମ୍ପାନୀ ଭୁଶୁଡି ପଡିବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏସ୍‌ୟୁ ହେବା ଭେଦଭାବର ଆଧାର ହୋଇ ନ ପାରେ। ମାଲ୍ୟା କହିଛନ୍ତି ଯେ, ସେ କିଙ୍ଗଫିଶରରେ ବଡ଼ ଧରଣର ନିବେଶ କରିଥିଲେ। ଫଳରେ ଏହା ଖୁବଶୀଘ୍ର ଦେଶର ସର୍ବବୃହତ ତଥା ଭଲ ଏୟାରଲାଇନ ହୋଇପାରିଥିଲା। ଏହା ଠିକ୍‌ ଯେ, କମ୍ପାନୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଥିଲା।

ସେ ଶତପ୍ରତିଶତ ଋଣ ଫେରସ୍ତ ଲାଗି ପ୍ରସ୍ତାବ ଦେଇଥିବା ବେଳେ ତାଙ୍କୁ ଅପରାଧି ଭାବେ ଚିହ୍ନିତ କରାଗଲା। ଏହାକୁ ସେ ‘ଏୟାରଲାଇନ କର୍ମ’ ବୋଲି ଅଭିହିତ କରିଥିଲେ। ସେ ଲେଖିଛନ୍ତି ଯେ, ବ୍ରିଟେନରେ ଅଥବା ଭାରତୀୟ ଜେଲ୍‌ରେ ରୁହନ୍ତୁ ନା କାହିଁକି ଋଣ ଫେରାଇବାକୁ ସେ ପ୍ରସ୍ତୁତ। ସୂଚନାଥାଉ କି, ଭାରତୀୟ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରସ୍ତ ନ କରିବା ଅଭିଯୋଗରେ ଲଣ୍ଡନରୁ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟେନ ସରକାର ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ମାଲ୍ୟା ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାଏର କରିଛନ୍ତି।

Share