Advertisement
Categories: ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ ଏହି କମ୍ପାନୀରେ ପୁଞ୍ଜିନିବେଶ ସମ୍ଭାବନା ଖୋଜୁଥିବା ଏଟିହାଦ ଏୟାରଓ୍ବେଜ, ଟିପିଜି କ୍ୟାପିଟାଲ ଏବଂ ଇଣ୍ଡିଗୋ ପାର୍ଟନର୍ସ ଜେଟ୍‌କୁ ନେଇ ବିଶେଷ ଆଶବାଦୀ ନୁହନ୍ତି। ଏହାଛଡ଼ା ଜେଟ୍‌ର ବିଡିଂ ପ୍ରକ୍ରିୟାକୁ ନେଇ ସେମାନଙ୍କ ମନରେ ଉଠିଥିବା କେତେକ ପ୍ରଶ୍ନର ଉତ୍ତର ଆଜିଯାଏ ସେମାନଙ୍କୁ ମିଳିନାହିଁ। ଏଥିସହିତ କେନ୍ଦ୍ର ସରକାର ଜେଟ୍‌ର ଉଡ଼ାଣ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବଣ୍ଟନ କରିବାକୁ ନିଷ୍ପତ୍ତି ନେବା ପରେ ବିଡିଂ ପ୍ରକ୍ରିୟାରେ ସାମିଲ କମ୍ପାନୀମାନେ ହତୋତ୍ସାହିତ ହୋଇଛନ୍ତି। ଏତେ ସବୁ ନକରାମତ୍କ ଦିଗ ଭିତରେ ପୁଞ୍ଜିନିବେଶରୁ ଫାଇଦା ମିଳିବ ନାହିଁ ବୋଲି ମନେ କରି ସେମାନେ ବିଡିଂ ପ୍ରକ୍ରିୟା ପଛଘୁଞ୍ଚା ଦେଲେଣି। ସେମାନେ ବିଡିଂ ପ୍ରକ୍ରିୟାରେ ସାମିଲ ନ ହେବା ନେଇ ବିଚାର କରୁଛନ୍ତି। ଜେଟ୍‌ ଋଣପ୍ରଦାନକାରୀ ଓ ବିଡ଼୍‌ ପ୍ରକ୍ରିୟା ଚଳାଉଥିବା ଏସ୍‌ବିଆଇ କ୍ୟାପିଟାଲ ମାର୍କେଟସ ଡ୍ୟୁ ଡିଲିଜେନ୍ସ ପ୍ରୋସେସ୍‌ ଆରମ୍ଭ କରିଛି। ନିବେଶକ ମେ ୧୦ ତାରିଖ ସୁଦ୍ଧା ସେମାନଙ୍କର ବିଡ଼୍‌ ଦାଖଲ କରିପାରିବେ। ବିଡ଼୍‌ ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ୪୦୦ରୁ ଅଧିକ ଲାଭଜନକ ସ୍ଲଟ୍‌ ଅନ୍ୟ ଏୟାରଲାଇନ୍ସକୁ ମିଳୁଥିବାରୁ ନିବେଶକମାନଙ୍କ ଭିତରେ ନକରାମତ୍କ ପ୍ରଭାବ ପଡିଛି। ସେମାନେ ଜେଟ୍‌ରେ ନିବେଶ କରି କ’ଣ ପାଇବେ ସେ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି। ତେବେ ସରକାର କହୁଛନ୍ତି ଅସ୍ଥାୟୀ ଭାବେ ଏହା ଦିଆଯାଉଛି। କିନ୍ତୁ ସରକାରଙ୍କ କଥାରେ ନିବେଶକମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ଦିଆଯାଇଥିବା ସ୍ଲଟ ଫେରସ୍ତ ପାଇବା ସେତେଟା ସହଜ ନୁହେଁ। ଏହାଛଡ଼ା ବିମାନକୁ ଲିଜ୍‌ରେ ଦିଆଯାଉଛି। ଏହି କାରଣରୁ ଜେଟ୍‌ରେ ନିବେଶ କରିବା ଦ୍ୱାରା ଫାଇଦା ମିଳିବାର ସମ୍ଭାବନା କମ୍‌ ବୋଲି ସେମାନେ ବିଚାର କରୁଛନ୍ତି। ଏହାଛଡ଼ା ଋଣପ୍ରଦାନକାରୀଙ୍କ ନିକଟରେ ଏବେ ମଧ୍ୟ ୩୧% ଶେୟାର ରହିଛି, ଯାହାକୁ ନରେଶ ଗୋୟଲ ବନ୍ଧା ରଖିଛନ୍ତି। ସେହିପରି ଋଣପ୍ରଦାନକାରୀ ଜରୁରୀ ପାଣ୍ଠି ନ ଦେବା ପଛରେ ରହିଥିବା ରହସ୍ୟ ସେମାନେ ବୁଝି ପାରୁନ ଥିବାରୁ ନିବେଶକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share