Categories: ଖେଳ

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ସେ ଜନ ମିଲ୍‌ମ୍ୟାନଙ୍କୁ ୭୦୬ (୭/୪), ୬-୩, ୨-୬, ୬-୭ (୫/୭),୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଦୀର୍ଘ ୪ ଘଣ୍ଟା ୧୧ ମିନିଟ୍‌ ଧରି ଚାଲିଥିଲା। ଟୁର୍ନାମେଣ୍ଟର ଏହା ସବୁଠାରୁ ଦୀର୍ଘତମ ମ୍ୟାଚ୍‌ ବୋଲି କୁହାଯାଉଛି। ରୋଲାଣ୍ଡ ଗ୍ୟାରୋସଠାରେ ୧୯୩୭ରେ ହେନେର ହେଙ୍କେଲଙ୍କ ପରେ ଜର୍ମାନୀର ପ୍ରଥମ ପୁରୁଷ ଖେଳାଳି ହିସାବରେ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି ଜେଭରେଭ। ୨୨ ବର୍ଷୀୟ ଜେଭ୍‌ରେଭ୍‌ ଦ୍ୱିତୀୟ ରାଉଣ୍ଡରେ ସ୍ବିଡିଶ କ୍ୱାଲିଫାୟର ମିକାଏଲ୍‌ ଓ୍ବାଇମେରଙ୍କୁ ଭେଟିବେ। ବିଶ୍ୱର ୫ ନମ୍ବର ମାନ୍ୟତାପ୍ରାପ୍ତ ଏହି ଖେଳାଳି ସିଜନ ଆରମ୍ଭରେ ସଂଘର୍ଷ ଚଳାଇଥିବାବେଳେ ଗତ ସପ୍ତାହରେ ଜେନେଭାରେ ଏକ ଟାଇଟଲ ଜିତିଥିଲେ। ବର୍ଷକ ପୂର୍ବେ ଏଠାରେ ସେ ଥରେ ମାତ୍ର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ।
ବ୍ରିଟିଶ ନମ୍ବର ଓ୍ବାନ୍‌ ମହିଳା ଖେଳାଳି ଜୋହାନା କୋଣ୍ଟା ପ୍ରଥମ ଥର ପାଇଁ ଫ୍ରେଞ୍ଚ୍‌ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଠାରେ ୨୬ତମ ସିଡ୍‌ପ୍ରାପ୍ତ ଏହି ଖେଳାଳି ବିଶ୍ୱର ୧୪୭ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନୀର ଆନୋଟିନା ଲୋଟନରଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। କୋଣ୍ଟା ଏଠାରେ ପୂର୍ବରୁ ୪ଥର ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ଅଷ୍ଟ୍ରେଲିଆର ବର୍ନାଡ୍‌ ଟୋମିକ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଟେଲର ଫ୍ରିଜ୍‌ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ତାଙ୍କୁ ୬-୧, ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

Share