ଜେଲଗଲେ ଘରୋଇ ସ୍କୁଲ ଶିକ୍ଷକ

ଭୁବନେଶ୍ୱର,୬।୩(ବ୍ୟୁରୋ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଅସଦାଚରଣ କରୁଥିଲେ ଶିକ୍ଷକ। ଖରାପ ନଜର ରଖି ନାନା ଭାବେ ହଇରାଣ କରୁଥିଲେ। ଶେଷରେ ଧରାପଡ଼ିଯିବା ପରେ ବି ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏହି ଶିକ୍ଷକଙ୍କୁ ଗୁରୁବାର ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି। ସେ ହେଲେ ସାମନ୍ତରାପୁରସ୍ଥିତ ଏକ ଘରୋଇ ସ୍କୁଲ୍‌ର ମ୍ୟାଥ୍‌ (ଅଙ୍କ) ଶିକ୍ଷକ ସଞ୍ଜୟ ପଟ୍ଟନାୟକ। ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇ ଜେରା କରିବାସହ କେତେଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏଥିସହ ସେ ବ୍ୟବହାର କରୁଥିବା ପୋଷାକ ଓ ଅନ୍ୟ କେତେକ ସାମଗ୍ରୀ ଜବତ କରି ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା (ନଂ.୩୮/୨୦) ରୁଜୁ କରି ଅଭିଯୁକ୍ତ ସଞ୍ଜୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ସଞ୍ଜୟ ଉକ୍ତ ଘରୋଇ ସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକତା କରୁଥିଲେ। ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ନିଜର କାମନାବାସନାକୁ ଚରିତାର୍ଥ କରିବାକୁ ସେ ୪ ମାସ ହେବ ଉଦ୍ୟମ ଚଳାଇଥିଲେ। ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍‌ରେ ଏକୁଟିଆ ପାଇଲେ ବାରମ୍ବାର ଅସଦାଚରଣ କରୁଥିଲେ। ଛୋଟ ପିଲା ହୋଇଥିବାରୁ ଭୟରେ କିଛି କାହାକୁ କହିପାରୁ ନ ଥିଲେ। ଏପରି କି ମନ ବଦଳାଇବା ପାଇଁ ଗତ ମାସରେ ଭାଲେଣ୍ଟାଇନ ସପ୍ତାହର ବିଭିନ୍ନ ଦିବସରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀଙ୍କୁ ଉପହାର ମଧ୍ୟ ଦେଇଥିଲେ। ଶେଷରେ ସ୍କୁଲ୍‌ ସମୟରେ ପୁରୀ ଯାଇ ବୁଲାବୁଲି କରି ଫେରି ଆସିବାକୁ ବାରମ୍ବାର କହିବା ସହ ବାଧ୍ୟ କରିବାରୁ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା ଓ ବାପା ଥାନାରେ ଅଭିଯୋଗ କରିଥିଲେ।

Share