ଜେଲରୁ ମୁକୁଳିଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ୱର,୫-୨(ବ୍ୟୁରୋ):ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ଦେଇଥିଲେ। ନିମ୍ନ ଅଦାଲତଙ୍କ ସର୍ତ୍ତ ନିର୍ଦ୍ଧାରଣ ପରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ବିଜୟ ଝାରପଡା ଜେଲରୁ ମୁକୁଳିଛନ୍ତି। ସେ ଜେଲରୁ ବାହାରିବା ପରେ ସିଧା କଟକସ୍ଥିତ ତାଙ୍କ ଘରକୁ ଯାଇଥିତ୍ବା ଜଣାପଡିଛି। ତେବେ ଏହି ସମୟରେ ଜେଲ୍‌ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ବିଜୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ପ୍ରତିକ୍ରିୟା ରଖି ସେ କହିଥିଲେ, କୋର୍ଟରେ ବର୍ତ୍ତମାନ ମାମଲା ବିଚାରାଧୀନ ରହିଥିବାରୁ କିଛି କହିବା ଠିକ୍‌ ହେବ ନାହିଁ। କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ମାନିନେବି ବୋଲି ବିଜୟ କହିଥିଲେ। ଝାରପଡା ଜେଲ୍‌ ଅଧୀକ୍ଷକ ଶୁଭକାନ୍ତ ମିଶ୍ର କହିଛନ୍ତି, ବିଜୟଙ୍କ ଜାମିନ ସଂକ୍ରାନ୍ତ ହାଇକୋର୍ଟଙ୍କ ଅର୍ଡର ମଙ୍ଗଳବାର ଅପରାହ୍ନ ସାଢେ ୫ଟାରେ ପହଞ୍ଚତ୍ଥିଲା। ଆବଶ୍ୟକ କାଗଜପତ୍ର କାର୍ଯ୍ୟ ସରିବା ପରେ ତାଙ୍କୁ ୬ଟାରେ ଜେଲରୁ ମୁକ୍ତ କରାଯାଇଥିଲା। ଅନ୍ୟପକ୍ଷରେ ସମାନ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ବିଜୟ କେତନଙ୍କ ସହଯୋଗୀ ସନ୍ତୋଷ ପଟ୍ଟନାୟକଙ୍କୁ ହାଇକୋର୍ଟ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଜାମିନ ଅର୍ଡର ପହଞ୍ଚତ୍ବା ପରେ ସେ ମଧ୍ୟ ଜେଲ୍‌ରୁ ବାହାରିବେ ବୋଲି ସୂଚନା ମିଳିଛି।
ଆଇଏଏସ୍‌ ଅଫିସର ବିଜୟ କେତନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବାବେଳେ ଏକ ବିଲ୍‌ ପାସ୍‌ କରିବା ପାଇଁ ଏକଲକ୍ଷ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୩୦ରେ ଗିରଫ ହୋଇଥିଲେ। ବିଜୟଙ୍କ ପାଇଁ ଉକ୍ତ ଟଙ୍କା ତାଙ୍କ ସହଯୋଗୀ ସନ୍ତୋଷ ଏକ ଘରୋଇ ସଂସ୍ଥାର ପ୍ରତିନିଧିଙ୍କଠାରୁ ନେଉଥିବାବେଳେ ଧରାପଡ଼ିଥିବା ଭିଜିଲାନ୍ସ ଦର୍ଶାଇଥିଲା। ଭିଜିଲାନ୍ସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଇତିମଧ୍ୟରେ ବିଜୟଙ୍କ ୨ଥର ଜାମିନ ଆବେଦନକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜାନୁୟାରୀ ୮ ଓ ୧୩ରେ ଖାରଜ କରିଦେଇଥିଲେ। ସେ ଏହାକୁ ଚ୍ୟାଲେଞ୍ଜ କରି ଜାନୁୟାରୀ ୧୪ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରି କି ବିଜୟଙ୍କ ସ୍ତ୍ରୀ ଖବରଦାତା ସମ୍ମିଳନୀ କରି ସରକାରୀ ପିପି ଏବଂ ଭିଜିଲାନ୍ସ ଉପରେ ଦୋଷ ଦେଇଥିଲେ। କେତେଜଣ ଉପରିସ୍ଥ ଅଧିକାରୀ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ।

Share