ଜେଲରୁ ମୁକୁଳିଲେ ଆଇଏଏସ୍‌ ଅଫିସର ବିଜୟ କେତନ,ସହଯୋଗୀ ସନ୍ତୋଷଙ୍କୁ ବି ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୪ା୨(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ଦେଇଥିଲେ। ନିମ୍ନ ଅଦାଲତଙ୍କ ସର୍ତ୍ତ ନିର୍ଦ୍ଧାରଣ ପରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ବିଜୟ ଝାରପଡା ଜେଲରୁ ମୁକୁଳିଛନ୍ତି। ସେ ଜେଲରୁ ବାହାରିବା ପରେ ସିଧା କଟକସ୍ଥିତ ତାଙ୍କ ଘରକୁ ଯାଇଥିବା ଜଣାପଡିଛି। ତେବେ ଏହି ସମୟରେ ଜେଲ୍‌ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ବିଜୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ପ୍ରତିକ୍ରିୟା ରଖି ସେ କହିଥିଲେ, କୋର୍ଟରେ ବର୍ତ୍ତମାନ ମାମଲା ବିଚାରଧିନ ରହିଥିବାରୁ କିଛି କହିବା ଠିକ୍‌ ହେବ ନାହିଁ। କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ମାନିନେବି ବୋଲି ବିଜୟ କହିଥିଲେ। ଝାରପଡା ଜେଲ୍‌ ଅଧୀକ୍ଷକ ଶୁଭକାନ୍ତ ମିଶ୍ର କହିଛନ୍ତି, ବିଜୟଙ୍କ ଜାମିନ ସଂକ୍ରାନ୍ତ ହାଇକୋର୍ଟଙ୍କ ଅର୍ଡର ମଙ୍ଗଳବାର ଅପରାହ୍ନ ସାଢେ ୫ଟାରେ ପହଞ୍ଚତ୍ଥିଲା। ଆବଶ୍ୟକ କାଗଜପତ୍ର କାର୍ଯ୍ୟ ସରିବା ପରେ ତାଙ୍କୁ ୬ଟାରେ ଜେଲରୁ ମୁକ୍ତ କରାଯାଇଥିଲା। ଅନ୍ୟପକ୍ଷରେ ସମାନ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ବିଜୟ କେତନଙ୍କ ସହଯୋଗୀ ସନ୍ତୋଷ ପଟ୍ଟନାୟକଙ୍କୁ ହାଇକୋର୍ଟ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଦୋରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଜାମିନ ଅର୍ଡର ପହଞ୍ଚତ୍ବା ପରେ ସେ ମଧ୍ୟ ଜେଲ୍‌ରୁ ବାହାରିବେ ବୋଲି ସୂଚନା ମିଳିଛି।

Share