ଜେଲରେ ଆଇଏଏସ୍‌ ଅଫିସର ବିଜୟ ଅସୁସ୍ଥ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ସୋମବାର ସକାଳେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଜେଲ୍‌ ପରିସର ହସ୍ପିଟାଲର ୧ ନମ୍ବର ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମାନସିକ ସ୍ଥିତି ଭଲ ନ ଥିବାବେଳେ ସେ ଉଚ୍ଚରକ୍ତଚାପର ଶିକାର ହୋଇଛନ୍ତି। ହସ୍ପିଟାଲର ଡାକ୍ତରମାନେ ବିଜୟଙ୍କ ସ୍ବାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜେଲର ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
ରବିବାର ବିଜୟଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ୟେସ୍‌ ବ୍ୟାଙ୍କ୍‌ର ରିଲେଶନଶିପ୍‌ ମ୍ୟାନେଜର ସନ୍ତୋଷ ପଟ୍ଟନାୟକଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଜେଲ୍‌ର ୫ ନମ୍ବର ସେଲ୍‌ରେ ରାତି କଟାଇଥିଲେ ବିଜୟ। ରାତିରେ ସେ ରୁଟି ଓ ସନ୍ତୁଳା ଏବଂ ସକାଳୁ ଉପମା, ମଟର ତରକାରି ଓ ସାଲାଡ଼ ଖାଇଥିଲେ। ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ।
ସୂଚନାଯୋଗ୍ୟ, ଆଇଏଏସ୍‌ ଅଫିସର ବିଜୟ ଓ ବ୍ୟାଙ୍କ୍‌ ଅଫିସର ସନ୍ତୋଷଙ୍କୁ ଭିଜିଲାନ୍ସୂ ୬ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଉଭୟଙ୍କର ପୁରୁଣା ସମ୍ପର୍କ ଏବଂ ଦୁର୍ନୀତି ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ବିଜୟ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବାବେଳେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଥିଲା। ଏହାସହ ବିଜୟ ଓ ତାଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ କେତେ କଳା ଟଙ୍କା ଆସିଛି ସେନେଇ ଖୋଳତାଡ଼ ଚାଲିଛି। କଳା ଟଙ୍କା କାରବାର ହୋଇଥିବା ପ୍ରମାଣ ମିଳିଲେ ଉକ୍ତ ବ୍ୟାଙ୍କ୍‌ ଆକାଉଣ୍ଟଗୁଡିକୁ ସିଲ୍‌ କରାଯିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share