Categories: ଜାତୀୟ

ଜେଲରେ ବିଳାସମୟ ଜୀବନ ବିତାଉଛନ୍ତି କଏଦୀ: ଭିଡିଓ ଭାଇରାଲ

ଭୋପାଳ,୧୦।୭: ଉତ୍ତରପ୍ରଦେଶ ମାଉ ଜିଲାରେ ଜେଲ ପ୍ରଶାସନର କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିଛି। ଜେଲରେ କଏଦୀମାନେ ବିଳାସମୟ ଜୀବନ ବିତାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜେଲରେ କଏଦୀମାନେ ଭଲ ଭଲ ଖାଦ୍ୟଠାରୁ ଆରମ୍ଭ କରି ନିଶାଦ୍ରବ୍ୟ, ମୋବାଇଲ ସମେତ ବହୁ ବିଳାସପୂର୍ଣ୍ଣ ସୁବିଧା ପାଉଥିବା ଦେଖିବାକୁ ମିଳିଛି। କଏଦୀଙ୍କଠାରୁ ଜେଲର ଓ ସୁପରିଣ୍ଟେଣ୍ଡେଣ୍ଟ ଟଙ୍କା ନେଇ ଜେଲରେ ଏଭଳି ସୁବିଧା ଉପଲବ୍ଧ କରାଉଥିବା ଅଭିଯୋଗ ହୋଇଛି। ଜେଲ ଭିତରେ ପ୍ରତ୍ୟେକ କଏଦୀଙ୍କଠାରୁ ପ୍ରତିମାସରେ ହଜାରେ ଟଙ୍କା ନିଆଯାଇଥାଏ। ଏହା ବଦଳରେ ସେମାନଙ୍କୁ ହିଟର ଓ ମୋବାଇଲ ଚାର୍ଜର ସୁବିଧା ଦିଆଯାଇଥାଏ। କେବଳ ଏତିକି ନୁହେଁ, ସେମାନଙ୍କୁ ନିଶାଦ୍ରବ୍ୟ ଯଥା ହିରୋଇନ୍‌ ଓ ଗଞ୍ଜେଇ ବିକ୍ରି କରିବାକୁ ମଧ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କଠାରୁ ଅନୁମତି ମିଳିଥାଏ। ଏଥିରୁ ସବୁମାସରେ ଜେଲରଙ୍କୁ ୧୦ହଜାର ଟଙ୍କା ମିଳିଥାଏ। ଆଉ ଯେଉଁ କଏଦୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରନ୍ତି ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥାଏ କିମ୍ବା ହତ୍ୟା ଧମକ ମିଳିଥାଏ ବୋଲି ଅଭିଯୋଗ ହୋଇଛି। ତେବେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ସ୍ଥାନୀୟ ଏସ୍‌ପି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଜେଲ୍‌ରେ ୩ଥର ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Share