Categories: ଜାତୀୟ

ଜେଲରେ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯାଇଥିଲା

ନୂଆଦିଲ୍ଲୀ,୨୯ା୧(ପି.ଟି.): ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ(୩୨) ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜେଲରେ ଅନ୍ୟ ଦୋଷୀଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।
ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଜାରି କରିସାରିଛନ୍ତି। ତେଣୁ ମୃତ୍ୟୁମୁଖରୁ ବର୍ତ୍ତିଯିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ବିଫଳ ହୋଇଥିବା ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜକ୍ଷମା ଆବେଦନ ଖାରଜ ବିରୋଧରେ ରିଭ୍ୟୁ ପିଟିଶନ ଦାଏର କରିଥିବା ତାଙ୍କ ଓକିଲ ଅଞ୍ଜନା ପ୍ରକାଶ ଯୁକ୍ତି ବାଢ଼ିଛନ୍ତି ଯେ, ମୁକେଶଙ୍କୁ ତିହାର ଜେଲରେ ଅନ୍ୟ କଏଦୀମାନଙ୍କ ସମ୍ମୁଖରେ ଯୌନ ଶୋଷଣ କରାଯାଉଥିଲା। ଅନ୍ୟତମ ଦୋଷୀ ଅକ୍ଷୟ(୩୧)ଙ୍କ ସହ ଯୌନ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଏହାସହ ତାଙ୍କୁ ଅନେକ ଥର ମାଡ଼ ମରାଯାଇଛି। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ ବେଳେ ଏହିସବୁ ବୟାନ ଦିଆଯାଇଛି। ହେଲେ ଏହାକୁ ଶୁଣାଯାଇନାହିଁ ବୋଲି ସେ କହିଛନ୍ତି। ଜଷ୍ଟିସ୍‌ ଆର୍‌. ବାନୁମତିଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମୁକେଶଙ୍କ ଆବେଦନର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ରାଜକ୍ଷମା ନିଷ୍ପତ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ତଥ୍ୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା। ତେବେ ଜେଲରେ ଖରାପ ବ୍ୟବହାରର ଶିକାର ହେବା ରାଜକ୍ଷମା ପାଇଁ ଆଧାର ନୁହେଁ। ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କ ଦଣ୍ଡ କୋହଳ କରା ନ ଯାଉ। ବୁଧବାର ସୁପ୍ରିମକୋର୍ଟ ମୁକେଶଙ୍କ ଆବେଦନର ରାୟ ପ୍ରକାଶ କରିବେ।

Share