ଜେଲ୍‌ରୁ ପ୍ରେମିକଙ୍କୁ ମୁକୁଳାଇବାକୁ ପ୍ରେମିକାଙ୍କ ନିଷ୍ପତ୍ତି: ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପଡିଲା ହାତଗଣ୍ଠି

ବାଲେଶ୍ୱର ଅଫିସ,୨।୨-ପ୍ରତାରଣା ଅଭିଯୋଗରେ ବାଲେଶ୍ୱର ଜିଲା କାରାଗାରରେ ଦଣ୍ଡ ଭୋଗୁଥିବା ପ୍ରେମିକଙ୍କୁ ମୁକୁଳାଇବା ପାଇଁ ପ୍ରେମିକା ବିବାହ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାରଙ୍କ ସମ୍ମତି ଏବଂ କୋର୍ଟର ନିର୍ଦ୍ଦେଶରେ କାରାଗାର ପରିସରରେ ଶନିବାର ସନ୍ଧ୍ୟାରେ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ଜେଲର ସୁପରିଣ୍ଟେଣ୍ଡେଣ୍ଟ ଓ ଜେଲରଙ୍କ ତତ୍ତ୍ୱାବଧାନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଜେଲ ସୁପରିଣ୍ଟେଣ୍ଡଣ୍ଟଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଗବନ୍ଧୁ ଦାସଙ୍କ ଝିଅ ବେଙ୍ଗୀ (୨୦)ଙ୍କୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଖଡ଼ିକାପଦା ଗ୍ରାମର ବିକାଶ ଦାସ (୨୫) ବିବାହ ପ୍ରତିଶ୍ରୁତି ଦେଇ ପ୍ରାୟ ୧ବର୍ଷ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ମାତ୍ର ପରେ କୌଣସି କଥାରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଏନେଇ ରୂପ୍‌ସା ଥାନାରେ ମାମଲା (ନଂ. ୯୨/୨୦୧୯) ରୁଜୁ ହୋଇଥିଲା। ଗତ ଡିସେମ୍ବର ୭ ତାରିଖରେ ବିକାଶଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ସ୍ବତନ୍ତ୍ର ମାମଲା (ନଂ. ୧୮୪/୨୦୧୯) ରୁଜୁ ହେବା ସହ ବିକାଶଙ୍କୁ ବାଲେଶ୍ୱର ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ମାତ୍ର ବେଙ୍ଗୀଙ୍କ ପରିବାର ଏବଂ ବିକାଶଙ୍କ ପରିବାର ମଧ୍ୟରେ ଗ୍ରାମରେ ବୈଠକ ବସି ଉକ୍ତ ମାମଲାର ସମାଧାନ ସହ ବିବାହ କରାଇବାର ସିଦ୍ଧାନ୍ତ ହୋଇଥିଲା। କୋର୍ଟଙ୍କୁ ବିବାହ ପାଇଁ ଅନୁମତି ପ୍ରାର୍ଥନା କରିବାରୁ ବିଚାରପତି ଗତ ଡିସେମ୍ବର ୨୩ତାରିଖରେ ମଞ୍ଜୁର କରିଥିଲେ। ପୁଣି ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅନୁମତି ମଗାଯାଇଥିଲା, ଯାହା ଗତ ଜାନୁୟାରୀ ୨୨ତାରିଖରେ ମଞ୍ଜୁର ହୋଇଥିଲା। ପୁଣି କୋର୍ଟଙ୍କୁ ଫେବୃୟାରୀ ୧ତାରିଖ ବିବାହ ପାଇଁ ଗତ ଜାନୁୟାରୀ ୩୧ରେ ଅନୁମତି ମଗାଯାଇଥିଲା। ବିଚାରପତିଙ୍କ ମଞ୍ଜୁର ପରେ ଉଭୟଙ୍କ ବିବାହ ଜେଲ ମଧ୍ୟରେ ହିନ୍ଦୁ ବିବାହ ଆଇନ ଅନୁସାରେ ଅନୁଷ୍ଠିତ ହୋଇଛି। ରାଜାବଗିଚା ରାଧାକୃଷ୍ଣ ମନ୍ଦିର ତରଫରୁ ଏହି ବିବାହ ରେଜିଷ୍ଟ୍ରେଶନ କରାଯାଇଛି। ଯାହାର ସାର୍ଟିଫିକେଟ୍‌ (ନଂ. ୧୯୮/୧ା୨ା୨୦୨୦) ଓ ରସିଦ୍‌ (ନଂ. ୬୮୭) ଅଟେ। ଏହି ବିବାହରେ ଆଇନଜୀବୀ ପ୍ରଶାନ୍ତ କୁମାର ନନ୍ଦ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ଭାଜପା ନେତା ପର୍ଶୁରାମ ବେହେରା କନ୍ୟାଦାନ କରିଥିବା ବେଳେ ସଦର ବିଧାୟକ ମଦନ ମୋହନ ଦତ୍ତ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ। ଭାଜପା ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିବାହ ସମୟରେ ଉଭୟଙ୍କ ପରିବାର ପକ୍ଷରୁ ପ୍ରାୟ ୪୦ରୁ ୫୦ ଲୋକ ଉପସ୍ଥିତ ଥିଲେ। ତେବେ ଆଇନ ଅନୁଯାୟୀ ବିକାଶ ଖୁବ୍‌ଶୀଘ୍ର ଜେଲରୁ ବାହାରିବେ ବୋଲି ଜଣାପଡିଛି।