ଜେଲ୍‌ରୁ ଫେରାର ହେବା ପାଇଁ ଝିଅ ବେଶ ଧାରଣ କରି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର

ବ୍ରାସିଲିଆ,୬।୮: ଫିଲ୍ମରେ ଚେହେରା ଉପରେ ଅନ୍ୟ ଚେହେରା ଲଗାଇ ସମସ୍ତଙ୍କୁ ଚକିତ କରୁଥିବା ନାୟିକା ନାୟକଙ୍କୁ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ରିଅଲ ଲାଇଫ୍‌ରେ ଏଭଳି କରି ପୋଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍‌ରେ। ବ୍ରାଜିଲ୍‌ର ଏକ ଗ୍ୟାଙ୍ଗଷ୍ଟାର ନିଜ ଝିଅର ପୋଷାକ ପିନ୍ଧି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରାଜିଲ୍‌ର ଗ୍ୟାଙ୍ଗଷ୍ଟାର କ୍ଲାଉବିନୋ ଦା ସିଲ୍‌ଭା ଅରଫ ଶାର୍ଟି ରିୟୋ ଡି ଜେନେରିୟୋର ପଶ୍ଚିମାଞ୍ଚଳରେ ଥିବା ଏକ ଜେଲ୍‌ରେ ବନ୍ଦୀ ଥିଲେ। ଜେଲ୍‌ରୁ ଫେରାର ହେବା ପାଇଁ ସେ ଏକ ନିଆରା କୌଶଳ ଆପଣାଇଥିଲେ। ଶାର୍ଟିଙ୍କର ୧୯ ବର୍ଷର ଝିଅ ଥିବା ବେଳେ ସେ ତାଙ୍କ ପରି ବେଶଭୂଷାକୁ ଆପଣାଇ ଝିଅକୁ ଜେଲ୍‌ରେ ଛାଡ଼ି ନିଜେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ। ଝିଅ ବେଶଭୂଷାରେ ବ୍ୟକ୍ତି ଜଣଙ୍କ ପୁଅ ଭଳି ଚାଲୁଥିବା ଦେଖି ପୋଲିସଙ୍କର ସନ୍ଦେହ ଉପୁଜିଥିଲା। ଏହାପରେ ପୋଲିସ ତାଙ୍କୁ କାବୁ କରି ଯାଞ୍ଚ କରିବା ପରେ ସେ ଶାର୍ଟି ବୋଲି ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କ ମୁହଁର ମାସ୍କ, ଓ୍ବିଗ୍‌ ଓ ପୋଷାକ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏଥିସହ ଗ୍ୟାଙ୍ଗଷ୍ଟାରଙ୍କ ଝିଅ ଓ ଅନ୍ୟ ୭ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

Share