ଜେଲ୍‌ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ

ବରଗଡ଼ ଅଫିସ,୧୫।୭:  ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ ନ ମିଳିଲେ ଫୁଟ୍‌ପାଥ୍‌ରେ ବେପାର କରିବାକୁ ପଡ଼ୁଛି । ଅନ୍ୟପଟେ ବରଗଡ଼ ସବ୍‌ଜେଲ ସମ୍ମୁଖରେ ଦୀର୍ଘବର୍ଷ ହେଲା ଏକ ମାର୍କେଟ୍‌ କମ୍ପ୍ଲେକ୍ସ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ସେଥିପ୍ରତି ଜନ ପ୍ରତିନିଧି କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ । ପୌର ଓ ଜେଲ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଚୁପ୍‌ ବସିଛନ୍ତି । କୁଆଡ଼େ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ବିବାଦ ଉପୁଜିଥିଲା ଏବଂ ବିବାଦର ସମାଧାନ ନ ହେବା ଯୋଗୁ ନିର୍ମାଣ ହେବା ଦିନଠାରୁ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସ ଅକାମୀ ହୋଇ ପଡ଼ି ରହିଛି । ଅପରପକ୍ଷେ ସ୍ଥାନୀୟ ଟାଉନ ଥାନା ଓ ସବ୍‌ଜେଲ ମଝିରେ ରହିଥିବା ଏହି ମାର୍କେଟ୍‌ କମ୍ପ୍ଲେକ୍ସରେ ରାତିବେଳା ଆପରାଧିକ କାର୍ଯ୍ୟକଳାପ ଚାଲୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।
ସୂଚନା ଅନୁସାରେ, ଲୋକଙ୍କୁ ବ୍ୟବସାୟିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଜେଲ କଲୋନୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା । ଏଠାରେ ୧୨ଟି ଦୋକାନ ଗୃହ ନିର୍ମିତ ହୋଇଛି । ମାତ୍ର ଏବେ ସବୁ ଦୋକାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ୪ଟି ଦୋକାନ ଗୃହର କବାଟ ଚୋରି ହୋଇସାରି ଥିବାବେଳେ ଅନ୍ୟ ଗୃହର କବାଟରେ ମଧ୍ୟ କଳଙ୍କି ଲାଗି ତାହା ନଷ୍ଟ ହେବାରେ ଲାଗିଛି । କଥା ସେତିକିରେ ସରିନାହିଁ । ଅବ୍ୟବହୃତ ହୋଇ ପଡ଼ିଥିବା ଯୋଗୁ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସ ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି । ଥାନା ସମ୍ମୁଖରେ ମାର୍କେଟ୍‌ କମ୍ପ୍ଲେକ୍ସ ଥିଲେ ସୁଦ୍ଧା ଗତ କିଛିବର୍ଷ ତଳେ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସର ଏକ ଦୋକାନ ଗୃହରେ ହତ୍ୟାକାଣ୍ଡ ଘଟିଥିଲା । ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିନାହିଁ । ମାର୍କେଟ୍‌ କମ୍ପ୍ଲେକ୍ସର ପୁନରୁଦ୍ଧାର କଥା ଦୂରେ ଥାଉ, ଏପର୍ଯ୍ୟନ୍ତ ମାର୍କେଟ୍‌ କମ୍ପ୍ଲେକ୍ସକୁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ ।
ଅନ୍ୟପଟେ ଏହି କମ୍ପ୍ଲେକ୍ସ ପାଖାପାଖି କେତେକ ସ୍ଥାନରେ ସଟ୍ଟା ଜୁଆ, ଗଞ୍ଜେଇ ଆଦି ନିଶା କାରବାର ଚାଲୁଥିବା ଅଭିଯୋଗ ହୋଇଛି । ଆଉ ଏଭଳି କାରବାର ଯୋଗୁ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିବା ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି । ଅସୁରକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ମାର୍କେଟ୍‌ କମ୍ପ୍ଲେକ୍ସର କିଛି ଅଂଶକୁ କେତେକ ଛୋଟିଆ ବେପାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତାହା ସେମାନଙ୍କୁ ରୋଜଗାର ଦେଉଛି ସତ, ମାତ୍ର ମାର୍କେଟ୍‌ କମ୍ପ୍ଲେକ୍ସଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ପାରି ତାହା ଆପରାଧିକ ଆଡ୍ଡାସ୍ଥଳ ପାଲଟିବା ଚିନ୍ତାର ବିଷୟ ପାଲଟିଛି । ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସର ପୁନରୁଦ୍ଧାର ତଥା କାର୍ଯ୍ୟକ୍ଷମ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ମଧ୍ୟ ଏଠାରେ ଅପରାଧ ଘଟିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ ।