Categories: ଖେଳ

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌ ଯିବାକୁ ପଡ଼ିଛି। ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ମଧ୍ୟରେ ଗତ ବୁଧବାର ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଟି୨୦ ସିରିଜର ୨ୟ ମ୍ୟାଚ୍‌ ସମୟରେ ଏହି ଅଘଟଣ ଘଟିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୧୫୦ ରନର ଲକ୍ଷ୍ୟକୁ ଭାରତ ପିଛା କରୁଥିବାବେଳେ କୋହଲି କ୍ରିଜରେ ବ୍ୟାଟିଂ କରୁଥିଲେ। ଏହି ସମୟରେ ୩ଜଣ ଯୁବକ ସେଲ୍‌ଫି ଉଠାଇବା ପାଇଁ ଷ୍ଟାଡିୟମ ମଝିକୁ ଦୌଡ଼ି ଆସିଥିଲେ। ଏହି ୩ଜଣ ହେଲେ ସଙ୍ଗୀତ କୁମାର (ହରିୟାଣା), ରାଜେଶ କୁମାର (ରାଜସ୍ଥାନ) ଓ ପଓ୍ବନ କୁମାର (ମାଣ୍ଡି, ହିମାଚଳ ପ୍ରଦେଶ)। ପରେ ଏହି ୩ ଯୁବକଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୫୩, ୧୮୬ ଓ ୪୪୭ରେ କେସ ରୁଜୁ ହୋଇଥିଲା। ଯଦି ଧାରା ୩୫୩ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବାଧାଦେବା ଓ ଖରାପ ବ୍ୟବହାର ଦେଖାଇବା) ପ୍ରମାଣ ହୋଇଯାଏ ତେବେ ସେମାନଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇପାରେ। ଏକ ସ୍ଥାନୀୟ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Share