ଜେଲ୍‌ ଯିବେ ନିଶାଗ୍ରସ୍ତ ଡ୍ରାଇଭର

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧରାପଡିଲେ ଏଣିକି ଜେଲ ଯିବାକୁ ପଡିବ। କେବଳ ଜରିମାନା ଆଦାୟ କରି ନିଶାସକ୍ତ ଡ୍ରାଇଭରଙ୍କୁ ଛଡ଼ାଯିବ ନାହିଁ। ତୁରନ୍ତ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଜେଲ ଦଣ୍ଡ ସହ ଜରିମାନା ମଧ୍ୟ ଦେବାକୁ ହେବ। ଏ ନେଇ ପଦକ୍ଷେପ ନେବାକୁ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ରାଜ୍ୟରେ ଅଧିକ ଯାନବାହନ ଦୁର୍ଘଟଣା ହେଉଛି। ଏଥିଯୋଗୁ ମୃତାହତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧ରେ ମୋଟରଯାନ ଦୁର୍ଘଟଣାରେ ୩୮୦୨ ଜଣ ପ୍ରାଣ ହରାଇଥିବା ବେଳେ ୫୩୪୯ ଜଣ ଗୁରୁତର ଆଘାତ ହୋଇଥିଲେ। ସେହିପରି ୨୦୧୨ରେ ୩୭୦୧ଜଣ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିବା ବେଳେ ୫୨୬୦ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ୨୦୧୪ରୁ ୨୦୧୮ ମଧ୍ୟରେ ୫୨ ହଜାର ୬୫୯ ସଡ଼କ ଦୁର୍ଘଟଣାରେ ୨୨ ହଜାର ୮୦୦ ଜଣଙ୍କର ଜୀବନ ଯାଇଛି। ୨୦୧୪ରେ ୯୪୬୮ ଦୁର୍ଘଟଣାରେ ୩୯୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୫ରେ ୧୦୫୪୨ ଦୁର୍ଘଟଣାରେ ୪୩୦୩, ୨୦୧୬ରେ ୧୦୫୩୨ ଦୁର୍ଘଟଣାରେ ୪୪୬୩, ୨୦୧୭ରେ ୧୦୮୫୫ ସଡ଼କ ଦୁର୍ଘଟଣାରେ ୪୭୯୦ ଜଣ ଏବଂ ୨୦୧୮ରେ ୧୧୨୬୨ ଦୁର୍ଘଟଣାରେ ୫୩୧୩ ଜଣଙ୍କର ବହୁ ମୂଲ୍ୟ ଜୀବନ ଚାଲିଯାଇଛି। ରାସ୍ତାଘାଟ ଚଉଡା ହେଉଥିଲେ ମଧ୍ୟ ବେଳକୁ ବେଳ ଦୁର୍ଘଟଣା ସଂଖ୍ୟା ବଢି ବଢି ଚାଲିଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ମଦ ପିଇ ଗାଡ଼ି ଚଳାଇବା ଓ ମୋବାଇଲ ବ୍ୟବହାର ଦ୍ୱାରା ଅଧିକ ଦୁର୍ଘଟଣା ହେଉଛି ବୋଲି ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ମଦୁଆ ଡ୍ରାଇଭରଙ୍କୁ ଜେଲ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧୮ ତାରିଖରେ ଯାଞ୍ଚ କରିବା ବେଳେ ୫ଜଣ ମଦ ପିଇ ଗାଡି ଚଳାଉଥିବା ବେଳେ ବିନା ହେଲମେଟରେ ଗାଡି ଚଳାଉଥିବା ୧୪୫ଜଣ, ଅତ୍ୟଧିକ ବେଗରେ ୯୧ଜଣ ଓ ୧୦ ଜଣ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ବେଳେ ଧରାପଡିଛନ୍ତି।

Share