ଭଞ୍ଜନଗର,୯।୩(ଡି.ଏନ.ଏ) ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ଓ ଗହମ ହେରଫେର ନେଇ ଶନିବାର ରାତିରେ ବିଡ଼ିଓ ଅନିଲ କୁମାର ସେଠୀ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ରବିବାର ଅପରାହ୍ନରେ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ମାମଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଜନୀ ପ୍ରଧାନ, ଯୋଗାଣ ସହାୟକ ସୋମନାଥ ବେହେରା ମଧ୍ୟ ଜଡ଼ିତ ଥିବା ବିଡ଼ିଓ ଅଭିଯୋଗ କରିଛନ୍ତି।
ପ୍ରକାଶଯେ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ହେରଫେର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବ୍ଲକ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଗୋଦାମ ଘର ଯାଞ୍ଚ କରାଯାଇଥିଲା। ଏହି ସମୟରେ ୬୧.୦୩ କୁଇଣ୍ଟାଲ ଚାଉଳ ଓ ୪.୫୫ କୁଇଣ୍ଟାଲ ଗହମ ହେରଫେର ହୋଇଥିବା ଜଣାପଡ଼ିଥିଲା। ବ୍ଲକ ଯୋଗାଣ ଅଧିକାରୀଙ୍କ ସୂଚନାକୁ ଆଧାର କରି ବିଡ଼ିଓ ଅନିଲ କୁମାର ସେଠୀ ରାତିରେ ଥାନାରେ ଚାଉଳ ହେରଫେର ନେଇ ଉକ୍ତ ୩ ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ପୋଲିସ ରବିବାର ସରପଞ୍ଚଙ୍କୁ ଥାନାକୁ ଆଣିଥିଲେ। ପଚରାଉଚରା ପରେ ତାଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ୩ଜଣଙ୍କ ନାମରେ ମାମଲା (ନଂ. ୯୯/୨୦) ରୁଜୁକରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷେ ଭାଜପା ନେତା ରମେଶ ବେହେରା, ବଟକୃଷ୍ଣ ପଣ୍ଡା, ହର ଗୌଡ଼, ଲେଲିନ ରାଉତ ଏକ ବିବୃତିରେ କହିଛନ୍ତି ଯେ, ସରପଞ୍ଚ ଏହି ମାମଲାରେ ଜଡ଼ିତ ନାହାନ୍ତି ତାଙ୍କୁ ଫସାଇ ଦିଆଯାଇଛି। ପିଇଓ ଏବଂ ଯୋଗାଣ ସହାୟକ ଏଥିରେ ସମ୍ପୃକ୍ତ। ଅପରପକ୍ଷେ ଶିବଶଙ୍କରଙ୍କୁ ପୋଲିସ ନେଇ ଆସିବା ପରେ ମୁଜାଗଡ଼ ପଞ୍ଚାୟତ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ସରପଞ୍ଚଙ୍କ ଗିରଫ ପରେ ଏବେ ଭଞ୍ଜନଗର ରାଜନିତୀ ସରଗରମ ହୋଇଛି।