ଜେଲ ଫେରିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ କମିଶନରେଟ ପୋଲିସ ରିମାଣ୍ଡରେ ଆଣିଥିଲା। ବୁଧବାର ୨ ଦିନିଆ ରିମାଣ୍ଡ ସରିଥିବାବେଳେ ଗୁରୁବାର ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ଅନ୍ୟପକ୍ଷରେ ଏହି ଠକେଇ ମାମଲାରେ ଅଭୟକାନ୍ତଙ୍କ ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ହୋଇଥିଲା। ହେଲେ କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଫଳରେ ଅଭୟକାନ୍ତଙ୍କୁ ପୁଣି ଝାରପଡ଼ା ସ୍ବତନ୍ତ୍ର କାରାଗାରର ବିଚାର ବିଭାଗୀୟ ହାଜତକୁ ଫେରିବାକୁ ପଡିଛି।
ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ବେକାର ଯୁବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭୟଙ୍କ ପୁଅ ଆକାଶ ପାଠକ ମଧ୍ୟ ବାପାଙ୍କ ସହ ଜେଲ ଯାଇଛନ୍ତି। ଏଥିସହ ଏହି ଲିଙ୍କ୍‌ ସହ ବେଆଇନ ଅର୍ଥ କାରବାର ମାମଲାରେ ଆକାଶଙ୍କ ଭାବୀ ଶଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଉକ୍ତ ଜେଲରେ ଅଛନ୍ତି। ଏମାନେ ଜେଲ ଯିବା ପରେ ଭୁବନେଶ୍ୱରର ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌ ଆକାଶ ପାଠକଙ୍କ ନାଁରେ ଖାରବେଳନଗର ଥାନାରେ ଠକେଇ ଅଭିଯୋଗ କରିଥିଲେ। ପାଠକ ବାପପୁଅ ଚାର୍ଟର ଫ୍ଲାଇଟ୍‌ରେ ରାଜ୍ୟ ବାହାରକୁ ବାରମ୍ବାର ଯିବା ଆସିବା କରିବା ସହ ପଞ୍ଚତାରକା ହୋଟେଲରେ ରହୁଥିଲେ। ଏହାର ବୁକିଂ କରୁଥିଲା ସ୍କାଏ କିଙ୍ଗ। ଆକାଶ ଏହି ବୁକିଂ କରିଥିବାବେଳେ ୬୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଉ ନ ଥିବା ନେଇ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ। ଏ ସଂକ୍ରାନ୍ତରେ ଆକାଶଙ୍କୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଆବଶ୍ୟକ ପ୍ରମାଣ ପାଇଥିବାବେଳେ ପଚରାଉଚରାବେଳେ ଅଭୟକାନ୍ତ ମଧ୍ୟ ବକେୟା ଟଙ୍କା ସମ୍ପର୍କରେ ସ୍ବୀକାର କରିଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

Share