ଜୈବିକ କୃଷିକୁ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ପରାମର୍ଶ

ନୂଆପଡା ଅଫିସ,୨୧ା୪: ଚାଷୀମାନେ ଦେଶର ମେରୁଦଣ୍ଡ। ଦେଶ ବିଭିନ୍ନ ସମୟରେ ନାନାଦି ଦୁର୍ବିପାକ ଦେଇ ଗତି କରିଛି। ତଥାପି ଚାଷୀମାନେ ଲୋକଙ୍କ ମୁହଁରେ ଅନ୍ନ ଦେବା ବନ୍ଦ କରି ଦେଇନାହିଁ। ସବୁ ପରିସ୍ଥିତିରେ ନିଜକୁ ଜଳାଞ୍ଜଳି ଦେଇ ଓ ନିରନ୍ତର ଝାଳ ବୁହାଇ ଚାଷୀ ଦେଶବାସୀଙ୍କୁ ଅନ୍ନ ଯୋଗାଇଛି। ବର୍ତ୍ତମାନର କରୋନା ଲଢେଇରେ ମଧ୍ୟ ଚାଷୀମାନେ ଜଣେ ଜଣେ ଯୋଦ୍ଧା ଭାବେ ଦଣ୍ଡାୟମାନ। ଏଣୁ ଚାଷୀଙ୍କ ସହ ପ୍ରଶାସନ ରହିଛି ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି। ଏହି ବାର୍ତ୍ତା ନେଇ ଜିଲାପାଳ ଜିଲାର ବିଭିନ୍ନ ପ୍ରାନ୍ତ ବୁଲୁଛନ୍ତି। କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସହ କଥା ହେଉଛନ୍ତି।
ଦେଶସାରା ଲକଡାଉନ। ଗୋଟିଏ ପଟେ ସଚେତନତା ପାଇଁ ଜିଲାର ସବୁ ପ୍ରଶାସନିକ ବିଭାଗ ଅଣ୍ଟା ଭିଡିଥିବାବେଳେ ଜଲାପାଳ ଗୋଟିଏ ପାଦ ଆଗକୁ ଆସି ଚାଷୀଙ୍କ ନିକଟକୁ ଖୋଦ ଯାଉଛନ୍ତି। ଏହିକ୍ରମରେ ଜିଲାପାଳ ସାହୁ ପ୍ରଥମେ ସଦର ବ୍ଲକ ଜେଞ୍ଜେରା ଗାଁକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚାଷୀମାନେ କିପରି ଜୈବିକ ସାର ବ୍ୟବହାର କରି ଚାଷକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ତାହାକୁ ନିଜେ ଦେଖିଥିଲେ। ଚାଷୀମାନେ ହାଣ୍ଡିଖତ (ସାର) ପ୍ରସ୍ତୁତ କରି ତାହାକୁ କୃଷି ବିଭାଗର ପରାମର୍ଶ ନେଇ ବେଶ୍‌ ସଫଳ ଚାଷ କରିଥିବା ଦେଖି ଜିଲାପାଳ ଖୁସି ପ୍ରକଟ କରିଥିଲେ। ତେବେ କରୋନା ଲକଡାଉନ ଯୋଗୁଁ ଠିକ୍‌ ସମୟରେ ସାର, କୀଟନାଶକ ନ ପାଇ ହଇରାଣ ହେଉଥିବାରୁ ହତୋତ୍ସାହିତ ହେଉଥିବା ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ଜିଲାପାଳ ସହୁ ଦର୍ଲିନୂଆପଡା ଗାଁକୁ ଯାଇ ଆଗ୍ରୋ ଫରେଷ୍ଟ୍ରି ଯୋଜନାରୁ ଧାନ ଏବଂ ଅଣଧାନ ଚାଷ କରିଥିବା ୧୬ଜଣ ଚାଷୀଙ୍କ କ୍ଷେତ ପରିଦର୍ଶନ କରିଥିଲେ। ଚୁହୁରି ଗାଁରେ ସିଞ୍ଚନ ପ୍ରଣାଳୀରେ ହୋଇଥିବା ବିଭିନ୍ନ ଚାଷ ବୁଲି ଦେଖିଥିଲେ। ଜିଲାପାଳଙ୍କ ସହ ସହକାରୀ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର, ବିରଞ୍ଚିନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।