ମାଡ୍ରିଡ୍, ୭ା୫ (ଏପି)- କରୋନା ଭାଇରସ୍ ପାଇଁ ଚାଲିଥିବା ଲକ୍ଡାଉନ୍ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍ ଚର୍ଚ୍ଚାରେ ଥିବାବେଳେ ତାଙ୍କର ଏହି ଭୁଲ କାର୍ଯ୍ୟପାଇଁ ସ୍ପାନିଶ ଟେନିସ କ୍ଲବ ନିଜକୁ ଦାୟୀ କରିଛି। ସର୍ବୀୟ ଖେଳାଳି ଜୋକୋଭିଚ୍ ଲକଡାଉନ୍ ଯୋଗୁ ଏବେ ସ୍ପେନରେ ଅଛନ୍ତି। କଟକଣା ସତ୍ତ୍ବେ ସେ ବର୍ବେଲା ଉପକୂଳବର୍ତ୍ତୀ ସହରରେ ଥିବା ଏକ ଟେନିସ କ୍ଲବର କୋର୍ଟ ବ୍ୟବହାର କରିଥିଲେ। ” କ୍ଲେ କୋର୍ଟରେ ଖେଳି ମୁଁ ବହୁତ ଖୁସି“ ବୋଲି ଲେଖି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ବ୍ୟତୀତ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ପାର୍ଟନରଙ୍କ ସହ ଶଟ୍ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ସ୍ପେନ୍ ଲକ୍ଡାଉନ୍ ସମୟରେ କେତେକ କ୍ଷେତ୍ରରେ କୋହଳ କରିଛି। କିନ୍ତୁ ଅଧିକାଂଶ ଟ୍ରେନିଂ ସେଣ୍ଟର ଏବଂ କ୍ରୀଡ଼ା ପ୍ରତିଷ୍ଠାନ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ। ପୁଣ୍ଟେ ରୋମାନୋ ମାର୍ବେଲା ଟେନିସ୍ କ୍ଲବ ତରଫରୁ ଏକ ବିବୃତିିରେ କୁହାଯାଇଛି ଯେ, ବୁଝାମଣାରେ ତ୍ରୁଟି ଯୋଗୁ ଜୋକୋଭିଚ୍ଙ୍କୁ ଆମେ ଅଭ୍ୟାସ ପାଇଁ ଅନୁମତି ଦେଇଥିଲୁ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନ କରୁଛୁ। ଆସନ୍ତା ସପ୍ତାହରୁ ଟ୍ରେନିଂ ପାଇଁ ଅନୁମତି ମିଳିବ ବୋଲି ସ୍ପାନିଶ ଟେନିସ ଫେଡେରେଶନ ପ୍ରକାଶ କରିଛି। ଟେନିସ୍ ଷ୍ଟାର ରାଫାଲ ନାଡାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାରଙ୍କ ନିୟମ ସ୍ପଷ୍ଟ ନ ଥିବାରୁ ଚଳିତ ସପ୍ତାହରେ ସେ ଏକ ଘରୋଇ ଟେନିସ୍ କୋର୍ଟରେ ଅଭ୍ୟାସ କରିଥିଲେ।