Categories: ଖେଳ

ଜୋକୋଭିଚ୍‌ଙ୍କ ରେକର୍ଡ

ଅଷ୍ଟ୍ରେଲିଆନ ଓପନରେ ଅଭିଜ୍ଞ ସର୍ବୀୟ ଖେଳାଳି ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିୟନ ହେବା ସହ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଗ୍ରାଣ୍ଡସ୍ଲାମ। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ବିଶ୍ୱର ଶ୍ରେଷ୍ଠ ଚାରୋଟି ଗ୍ରାଣ୍ଡସ୍ଲାମ୍‌ ମଧ୍ୟରୁ ଅନ୍ୟତମ। ପୁରୁଷ ବିଭାଗରେ ରୋଜର ଫେଡରର୍‌, ରାଫାଲ ନାଡାଲ୍‌, ଷ୍ଟାନିସ୍‌ଲାସ୍‌ ୱାରିଙ୍କା, ଜନ୍‌ ଇସ୍‌ନର, ଡେଭିଡ ଗଫିନ୍‌, ସାମ୍‌ କ୍ୟୁରେ, ନୋଭାକ ଜୋକୋଭିଚ୍‌ଙ୍କ ଭଳି ତାରକା ଖେଳାଳି ସାମିଲ ରହିଥିଲେ। ସେହିପରି ମହିଳା ବିଭାଗରେ ସିମୋନା ହାଲେପ୍‌, ସୋଫିଆ କେନିନ୍‌, ଗାର୍ବାଇନ୍‌ ମୁଗୁରୁଜା, ଆସେଲ ବାର୍ଟି, ଆଞ୍ଜେଲିକ୍‌ କର୍ବର, ନାଓମି ଓସାକା, ସେରେନା ୱିଲିୟମ୍‌ସ, କାରୋଲିନା ପ୍ଲିସ୍କୋଭାଙ୍କ ପରି ନାମୀଦାମୀ ଖେଳାଳି ସାମିଲ ରହିଥିଲେ। ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରୁ ନାଡାଲ, ଓ୍ବାରିଙ୍କା, ମିଲୋସ ରାଓନିକ୍‌ ବିଦାୟ ନେଇଥିଲେ। ସେମିଫାଇନାଲରେ ଆଲେକ୍‌ଜାଣ୍ଡାର ଜେଭରେଭ୍‌ ଏବଂ ରୋଜର ଫେଡରରଙ୍କ ପରି ଖେଳାଳିଙ୍କ କଡ଼ା ସଂଘର୍ଷ ପରେ ପରାଜୟ ବରଣ କରି ଟେନିସ୍‌ପ୍ରେମୀମାନଙ୍କୁ ହତାଶ କରିଥିଲେ।
ପୁରୁଷ ବିଭାଗରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ଟାଇଟଲ ହାସଲ କରିଛନ୍ତି। ସେ ଏଥିସହିତ ରେକର୍ଡ ଅଷ୍ଟମଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଜୋକୋଭିଚ୍‌ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ୬-୪, ୪-୬, ୨-୬, ୬-୩, ୬-୪ ସେଟ୍‌ରେ ପଞ୍ଚମ ସିଡ୍‌ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ଏଥିସହିତ ଜୋକୋଭିଚ୍‌ ଟେନିସ୍‌ ର଼୍ୟାଙ୍କିଙ୍ଗ୍‌ରେ ୧ମ ସ୍ଥାନକୁ ପ୍ରତ୍ୟାବର୍ତ୍ତନ ସହିତ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି।

Share