ଅନୁଗୋଳ ଅଫିସ, ୯।୯ : ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେହିପରି ଅନୁଗୋଳ କୋର୍ଟ ପରିସରରେ ପ୍ରାଧିକରଣ ପକ୍ଷରୁ ଜୋନ୍ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ନ୍ୟାୟିକ ଅଧିକାରୀ ସୌମ୍ୟକ ପାତ୍ର, ରେଜିଷ୍ଟ୍ରାର ବାସୁଦେବ ଆଚାର୍ଯ୍ୟ, ଅନୁବିଭାଗୀୟ ଦଣ୍ଡଧିକାରୀ ବିଶ୍ୱଜିତ ନାୟକ ଓ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୀବ କୁମାର ପଣ୍ଡା ଅତିଥିଭାବେ ଯୋଗଦେଇଥିଲେ।
ଜିଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ଜୋନ୍ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଜବାହର ନବୋଦୟ ବିଦ୍ୟାଳୟ ଚମ୍ପତିମୁଣ୍ଡା ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ଆମ ଅଧିକାର ଆମେ ପାଇବୁ’ ଶ୍ରେଷ୍ଠ ବିବେଚିତ ହୋଇଥିଲା। ପାରାଲିଗାଲ ଭଲ୍ୟୁଣ୍ଟର ଲିପିକା ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ନ୍ୟାୟ ଆମ ଅଧିକାର’ ଓ ଦେବଗଡ଼ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଢ଼ାପାଳର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ପ୍ରାପ୍ୟ’ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିଲା। ସେହିଭଳି ଜୋନ୍ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରୀ ସମୀକ୍ଷା ମହାନ୍ତି ପ୍ରଥମ, ରାକ୍ଷୀ କାଣ୍ଟା ଦ୍ୱିତୀୟ ଓ ଛାତ୍ର ଜିବିତେଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତାରେ ଛାତ୍ରୀ ଈପ୍ସିତା ପ୍ରଧାନ ପ୍ରଥମ, ଛାତ୍ର ଉମେଶ ମେହେର ଦ୍ୱିତୀୟ ଓ ଛାତ୍ରୀ ସସ୍ମିତା ସାହୁ ତୃତୀୟ ହୋଇଥିଲେ। ଚିତ୍ରାଙ୍କନରେ ଛାତ୍ର ମନିଷ କୁମାର ରାଉତ ପ୍ରଥମ, ତନୁଜ କହଁର ଦ୍ୱିତୀୟ ଓ ଛାତ୍ରୀ ଦେବସ୍ମିନ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ଅଭିନେତା ଅଶୋକ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ଦାସ, ଅବସରପ୍ରାପ୍ତ ପ୍ରଫେସର ଡ. ଇନ୍ଦିରା ଦାଶ, ଅବସରପ୍ରାପ୍ତ ଅଧ୍ୟାପିକା ଡ. ମଞ୍ଜୁଲତା ମହାପାତ୍ର, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଅବସରପ୍ରାପ୍ତ କଳା ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ସାମାଜିକ କର୍ମୀ ପର୍ଶୁରାମ ଦାଶ ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଶେଷରେ ବିଜେତାମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅଭିନନ୍ଦିତା ପଣ୍ଡା ଏହାକୁ ପରିଚାଳନା କରିଥିଲେ। ପ୍ରାଧିକରଣର ସମସ୍ତ କର୍ମକର୍ତ୍ତା ଓ ପାରାଲିଗାଲ୍ ଭଲ୍ୟୁଣ୍ଟରମାନେ ଏଥିରେ ସହଯୋଗ କରିଥିଲେ।
Posted inଅନୁଗୋଳ, ଆମ ଜିଲା ଖବର