ଜୋମାଟୋରୁ ଖାଦ୍ୟ ଅର୍ଡର କରି ଗାଳି ଶୁଣିଲେ ଡାକ୍ତର, ଥାନାରେ ଏତଲା

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କରୋନା ଲଢ଼େଇ ପାଇଁ ସମସ୍ତେ ଅଣ୍ଟା ଭିଡିଛନ୍ତି। ବିଶେଷକରି ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ। ସେମାନଙ୍କୁ ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍‌ଡାଉନ୍‌ ସମୟରେ ବହୁ ଡାକ୍ତର ଖାଇବା ପିଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ନାଁ ଶୁଣିଲେ ଲୋକେ ପାଖ ମାଡ଼ୁନାହାନ୍ତି। ଏପରି ଜଣେ ଡାକ୍ତର ଘରୋଇ ସଂସ୍ଥା ଜୋମାଟୋରୁ ଖାଦ୍ୟ ଅର୍ଡର କରି କର୍ମଚାରୀଙ୍କଠାରୁ ଗାଳି ଶୁଣିଛନ୍ତି। ଏପରି କି କର୍ମଚାରୀ ଜଣକ ତାଙ୍କୁ ଧମକ ମଧ୍ୟ ଦେଇଥିବା ନେଇ ନୟାପଲ୍ଲୀ ଥାନାରେ ଶନିବାର ଅଭିଯୋଗ ହୋଇଛି।

ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଇଆର୍‌ସି ଭିଲେଜ ଏନ-୫ରେ ରହୁଥିବା ଡା. ଅମ୍ରିତ ପାଟଯୋଶୀ। ଶନିବାର ସେ ଜୋମାଟୋରୁ ଖାଦ୍ୟ ଅର୍ଡର ଥିଲେ। ଦିନ ୩ଟା ବେଳକୁ ଜୋମାଟୋର କର୍ମଚାରୀ ଶଙ୍କର ଖାଦ୍ୟ ଡେଲିଭରୀ ଦେବାକୁ ଡ଼ା.ଅମ୍ରିତଙ୍କୁ ଠିକଣା ପଚାରିଥିଲେ। ବାରମ୍ବା ଠିକଣା କହିଥିଲେ ମଧ୍ୟ କର୍ମଚାରୀ ଜଣକ ବିଭିନ୍ନ ବାହାନା ଦେଖାଇଥିଲେ। ଶେଷରେ ଘର ପାଉ ନ ଥିବା ଦର୍ଶାଇ ଅର୍ଡର କ୍ୟାନସଲ କରିବାକୁ କହି ଡ଼ା ଅମ୍ରିତଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share