ଜୋରଦାର ହେଲା ପଲିଥିନ ଧରପଗଡ: ଗୋଦାମ ମାଲିକଙ୍କୁ ଗୋଡାଇ ଧରିଲେ

ଭଞ୍ଜନଗର,୧୯।୬(ଡି.ଏନ.ଏ.)- ପଲିଥିନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବା ପାଇଁ ଭଞ୍ଜନଗର ଏନ୍‌ଏସି ପକ୍ଷରୁ ବୁଧବାରଠାରୁ ଚଢାଉ ଜୋରଦାର କରାଯାଇଛି। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୭ କେଜି ପଲିଥିନ ଜବତ କରାଯାଇଥିବା ବେଳେ ଗୁରୁବାର ୨୫ କେଜି ପଲିଥିନ ଜବତ କରାଯାଇଛି। ଜଣେ ଗୋଦାମ ମାଲିକ ଚଢାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ସ୍କୁଟିରେ ପଲିଥିନ ଲଦି ଫୋପାଡ଼ିବାକୁ ଯାଉଥିବାବେଳେ ଚଢ଼ାଉ ଟିମ୍‌ ପିଛା କରି ନଦୀ କୂଳରୁ ପଲିଥିନ ଜବତ କରିଥିଲେ। ଏଥିସହ ଏକାଧିକ ରାଶନ ଦୋକାନ ଓ ହୋଟେଲରେ ଯାଞ୍ଚ କରାଯାଇଥିଲେ ମଧ୍ୟ ପଲିଥିନ ମିଳି ନ ଥିଲା। ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଦିଲୀପ ସ୍ବାଇଁ, ଶିବ ପ୍ରଧାନ, ଶ୍ରୀନିବାସ ଗୌଡ଼, ଅଶୋକ ପ୍ରଧାନ, ଭାସ୍କର ପତି, ଲୋଚନ ପ୍ରଧାନ ପ୍ରମୁଖ ଏହି ଚଢ଼ାଉର ନେତୃତ ନେଇଥିଲେ। ଅନ୍ୟପକ୍ଷରେ ସହରରେ ବହୁଳଭାବେ ପାଣି ପାଉଚ୍‌ ବ୍ୟବହାର ହେଉଛି। ଏହାକୁ ରୋକିବା ପାଇଁ ଏନ୍‌ଏସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ଏନ୍‌ଏସିର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ, ବେନିୟମ ପଲିଥିନ ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ ହେବାପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିବ। ପାଣି ପାଉଚ୍‌ ବ୍ୟବହାର ଉପରେ ମଧ୍ୟ ଚଢ଼ାଉ ହେବ। ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Share