Categories: ଜାତୀୟ

ଜୋଷୀ, ରାଣେଙ୍କ ପରେ ଉଦ୍ଧବ

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ସରକାରର ପତନ ପରେ ଶିବସେନା ଏହାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ପାଇଛି। ୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବୁଧବାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପରେ ରାସ୍ତା ସଫା ହୋଇଯିବ। ୧୯୮୯ରୁ ମହାରାଷ୍ଟ୍ରରେ ଭାଜପା ସହ ମେଣ୍ଟ କରିଆସିଥିବା ଶିବସେନା ୧୯୯୫ରେ ସଫଳତା ପାଇଥିଲା। ଶିବସେନା ସୁପ୍ରିମୋ ବାଲାସାହେବ ଠାକ୍‌ରେଙ୍କ ସହଯୋଗୀ ମନୋହର ଜୋଷୀଙ୍କୁ ଦଳର ପ୍ରଥମ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ମାତ୍ର ୩ ବର୍ଷ ପରେ ଦୁର୍ନୀତି ଜାଲରେ ଛନ୍ଦିହୋଇ ଜୋଷୀ ଇସ୍ତଫା ଦେବା ପରେ ଠାକ୍‌ରେ ପରିବାରର ସହଯୋଗୀ ନାରାୟଶ ରାଣେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା। ଏବେ ଭାଜପା ଓ ଶିବସେନା ମଧ୍ୟରେ ଦୀର୍ଘ ୩୦ ବର୍ଷର ସମ୍ପର୍କରେ ଯବନୀକା ପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ଭାଗବଣ୍ଟାକୁ ନେଇ ଶିବସେନା ଦାବି କରିବା ଓ ଭାଜପା ଏହାକୁ ଅଗ୍ରାହ୍ୟକରିବା ଫଳରେ ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶେଷରେ ଶିବସେନା ଏନ୍‌ସିପି ଓ ପରେ କଂଗ୍ରେସ ସହ ହାତମିଳାଇବାକୁ ବାଧ୍ୟହୋଇଛି।

Share