ଜ୍ଞାନ ଆହରଣର ପୀଠ ସୂଚନା ଭବନ ପାଠାଗାର

ଭୁବନେଶ୍ୱର, ୧-୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପରିଚାଳିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ଅଗଷ୍ଟ ୧୫ରେ ପ୍ରତିଷ୍ଠା ହୋଇଥିଲା। ସ୍ବଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି ପାଠାଗାର କାଳକ୍ରମେ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ସାଧାରଣ ପାଠିକା ପାଠକ, ଜ୍ଞାନ ପିପାସୁ, ଉଚ୍ଚତର ଶିକ୍ଷା ଅନୁସନ୍ଧିତ୍ସୁ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ପରିଣତ ହୋଇଛି। ବୃତ୍ତିଗତ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ପରୀକ୍ଷାର୍ଥୀ, ଶିକ୍ଷା ଓ ଗବେଷଣାରତ ଉଦୀୟମାନ୍‌ ଯୁବପିଢ଼ିଙ୍କ ମାର୍ଗଦର୍ଶକ ଓ ଜ୍ଞାନ ଆହରଣର କେନ୍ଦ୍ରବିନ୍ଦୁ ଭାବେ ଏହି ପାଠାଗାର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ମଧ୍ୟରେ ଏହି ପାଠାଗାର ଓଡ଼ିଶା ତଥା ଦେଶର ବହୁ ସୁନାମଧନ୍ୟ ବିଦ୍ୱାନ୍‌, ସୁପ୍ରତିଷ୍ଠିତ, ସୁଲେଖକ, ସାହିତି୍ୟକ, ବକ୍ତା ଆଦି ବିଶିଷ୍ଟ ବ୍ୟକ୍ତିତ୍ୱ ସୃଷ୍ଟି କରିଛି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ବହୁ ଦୁର୍ମୂଲ୍ୟ ତଥା ବିରଳ ପୁସ୍ତକ ଗୋଟିଏ ସ୍ଥାନରେ ପାଇବା ଅତ୍ୟନ୍ତ ସୌଭାଗ୍ୟର ବିଷୟ, ଯାହାକି ରାଜ୍ୟ ସରକାରଙ୍କ ଏହି ପାଠାଗାର ମାଧ୍ୟମରେ ସମ୍ଭବ ହୋଇପାରିଛି। କେବଳ ପାଠ୍ୟକ୍ରମ ପୁସ୍ତକରେ ସୀମିତ ନ ରହି, ବାହ୍ୟ ଜ୍ଞାନର ବିକାଶ ସାଧନ ନିମନ୍ତେ ଅନୂ୍ୟନ ୨୦,୦୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ପୁସ୍ତକର ଗନ୍ତାଘର ଭାବେ ଏହା ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିପାରିଛି। ପ୍ରତ୍ୟହ ଅନୂ୍ୟନ ୧୫୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ଛାତ୍ରୀଛାତ୍ର ସକାଳ ୮ ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଏହି ପାଠାଗାରରେ ଅଧ୍ୟୟନ କରୁଛନ୍ତି। ପାଠିକା ପାଠକଙ୍କ କ୍ରମବର୍ଦ୍ଧିଷ୍ଣୁ ଉପସ୍ଥିତିକୁ ନଜରରେ ରଖି ପୁରାତନ ପାଠାଗାରକୁ ୧୪ ଅକ୍ଟୋବର ୨୦୧୯ରୁ ଗୀତଗୋବିନ୍ଦ ସଦନର ଉପର ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପାଠାଗାରର ମହତ୍ତ୍ବ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଅଧିକ ସଂଖ୍ୟକ ପତ୍ରପତ୍ରିକା ମହଜୁଦ୍‌ ରଖାଯିବା, ନିୟମିତ ପାଠିକା ପାଠକଙ୍କ ଲାଇବ୍ରେରିକୁ ପ୍ରବେଶ ସୁଗମ ନିମନ୍ତେ ଅତ୍ୟାଧୁନିକ ବାରକୋଡ୍‌ ଯୁକ୍ତ ପ୍ରବେଶପତ୍ର ବା ପରିଚୟପତ୍ର ଲାଗୁ କରାଯିବା, ପାଠାଗାରରେ ସିସିଟିଭିର ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା, ଇ-ଲାଇବ୍ରେରିର କ୍ୟାଟଲଗିଙ୍ଗ୍‌ ଓ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନ୍ତର୍ଗତ ରାଜ୍ୟରେ ଥିବା ସମସ୍ତ ଲାଇବ୍ରେରିରେ ଇ-ଲାଇବ୍ରେରିର ଅତିରିକ୍ତ ସୁବିଧା ଉପଲବ୍ଧ ନିମନ୍ତେ ପଦକ୍ଷେପ ନିଆଯାଉଛି। ଫଳରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପୁସ୍ତକ ଅଧ୍ୟୟନର ଏକ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଅନନ୍ୟ ପାଠାଗାରର ସୁବିଧା ଉପଯୋଗ କରି ଦେଶ ତଥା ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଏକ ଡାଇରେକ୍‌ଟୋରି ପ୍ରସ୍ତୁତି ପ୍ରସ୍ତାବ ଉପରେ ବିଭାଗୀୟ ଶାସନ ସଚିବ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଆଗାମୀ ଦିନରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ।

Share