ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ

ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ପ୍ରାୟ ଅଢେଇ ଲକ୍ଷ ଛାତ୍ରୀଛାତ୍ର ଏକକାଳୀନ ବିଭିନ୍ନ ପର୍ଯ୍ୟାୟରେ କବି ଗଙ୍ଗାଧରଙ୍କ ରଚିତ ‘ବିଶ୍ବ ଜୀବନ ହେ, ବିଶ୍ବଦେଖ ମଧୁମୟ, ମଙ୍ଗଳେ ଅଇଲା ଉଷା, ଜନ୍ମଦାତ୍ରୀ ମାତୃଭୂମି…’ ଆଦି ସଙ୍ଗୀତ ଗାନ କରିଥିଲେ। ସେହିପରି ବରଗଡ଼ ସୌଖୀନ ରଙ୍ଗମଞ୍ଚରେ ଅନୁଷ୍ଠିତ ସମାରୋହରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ, ସୌଖୀନ କଳାକାର ସଂଘର ସଭାପତି ଅଶ୍ବିନୀ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଛାତ୍ରୀଛାତ୍ର କବି ଗଙ୍ଗାଧରଙ୍କ ବେଶଭୂଷାରେ ସଜ୍ଜିତ ହୋଇଥିବାବେଳେ କବିଙ୍କ ରଚିତ ପ୍ରଣୟ ବଲ୍ଲରୀ କାବ୍ୟ ଉପରେ ଗୀତିନାଟ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀଛାତ୍ରଙ୍କ ଏକ ଶୋଭାଯାତ୍ରା ସ୍ଥାନୀୟ ନିଶାମଣୀ ସ୍କୁଲ ପଡିଆରୁ ବାହାରି ଗାନ୍ଧୀଛକକୁ ଯାଇ କବି ଗଙ୍ଗାଧର ମେହେର ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Share