ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଜୟପୁରର ଏକ ସିନେମାଘରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଫିଲ୍ମରେ ରାଜା ସୁରଜମଲ୍‌ଙ୍କ ଚରିତ୍ରକୁ ନେଇ ଭୂଲ ଚିତ୍ରଣ କରାଯାଇଛି ବୋଲି ଜାଟ ବଂଶଜ ଅଭିଯୋଗ କରିଛନ୍ତି। ଏହା ଜାଟମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସେମାନେ କହିଛନ୍ତି। ସେହିପରି ଉତ୍ତରପ୍ରଦେଶ ଆଗ୍ରାରେ ଜାଟ ସମ୍ପ୍ରଦାୟର ଲୋକମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପୋଷ୍ଟର ଧରି ଫିଲ୍ମ ବ୍ୟାନ ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତେ କଳା ଓ ସଂସ୍କୃତିକୁ ସମ୍ମାନ କରିବା ଉଚିତ, କିନ୍ତୁ କାହାର ଭାବନାକୁ ଆଘାତ ପହଞ୍ଚାଇବା କଥା ନୁହେଁ, ଏ ସମ୍ବନ୍ଧରେ ବିରୋଧ ପ୍ରଦର୍ଶନକାରୀଙ୍କ ସହ କଥାବାର୍ତ୍ତା ହୋଇ ସମାଧାନର ବାଟ ବାହାର କରିବା ଉଚିତ ବୋଲି ଗେହଲଟ କହିଛନ୍ତି।

Share