ଝଡ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାମରା, ୨୬।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ଦିନ ପ୍ରବଳ ଝଡ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେତେକ ସ୍ଥାନରେ କୁଆପଥର ମାଡ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର, ବାଉଁଶଲଗା ଆଦି ଅଞ୍ଚଳରେ ପ୍ରବଳ ବର୍ଷାପବନ ସହ ଅଧ ଘଣ୍ଟା ଧରି କୁଆ ପଥର ପଡିଥିଲା । ସେହିଭଳି ବ୍ଲକର ଜରାବଗା ପଞ୍ଚାୟତରେ ସବୁଠୁ ବେଶି କ୍ଷତି ହୋଇଥିବା ଜଣାପଡିଛି । ଜରାବଗା ଅଞ୍ଚଳର ବେହେଡାମାଲଠାରେ ଗଛ ପଡି ଗୋଟିଏ ବଳଦର ମୃତ୍ୟୁ ଘଟିଛି। ସେହି ଗାଁର ଶିବ ମାଝୀ, ବିଲୁଙ୍ଗ ଗ୍ରାମର ଗମ୍ଭାରି ମାଝୀ, କର୍ଲିଆଡିହି ଖଡିଆ ପଡାର ଧନୁ ନାଏକଙ୍କ ଘରର ଛପର ଓ ଅଜବେଷ୍ଟସ ଆଦି ଭାଙ୍ଗି ଯାଇଛି। ଲରିଆପାଲି ପଞ୍ଚାୟତରେ ମଧ୍ୟ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ବିଛୁଖଲିଆ ଗାଁର ମଙ୍ଗଳୁ ଟପ୍ପୋଙ୍କ ଘର ଉପରେ ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ରଙ୍ଗିଆଟିକ୍ରା ପଞ୍ଚାୟତ ତୁରିପଡାର ପୂଜା ପ୍ରଧାନ ଓ ରାଜେନ୍ଦ୍ର ବାଘଙ୍କ ଘର ଭାଙ୍ଗି ଯାଇଥିବା ଖବର ମିଳିଛି। ଜରାବଗା ଓ ଘୁନ ଘୁଟି ଛକ ମଧ୍ୟବର୍ତ୍ତୀ ରାସ୍ତା ଉପରେ କେତେକ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଥିବା ବେଳେ ବଡ ବଡ ଗଛ ଭାଙ୍ଗି ରାସ୍ତା ଜାମ ହୋଇପଡିଥିଲା।

Share