ଝଲସିବ ଜୀବରାମ ପଲ୍ଲୀ

ପୁରୀ ଅଫିସ,୭ା୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅନେକ ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେନେଇ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ସହରକୁ ଭିକାରୀମୁକ୍ତ କରିବା ପ୍ରୟାସ ଜାରି ରହିଥିବାବେଳେ କୁଷ୍ଠରୋଗୀଙ୍କ ପାଇଁ ବି ଚିନ୍ତା କରିଛି ପ୍ରଶାସନ। ସେମାନେ କିପରି ସୁସ୍ଥ ବାତାବରଣରେ ଜୀବନ କାଟିବେ ଏବଂ ଅନ୍ୟମାନଙ୍କ ଭଳି ହସଖୁସିରେ ସମୟ ବିତାଇବେ ସେଥିଲାଗି ଏକ ମେଗା ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାଲିଛି ଯୋଜନା। ଯଦି ଜିଲା ପ୍ରଶାସନର ଏହି ଚିନ୍ତାଧାରା ବାସ୍ତବତାର ରୂପ ନିଏ ତେବେ ଜୀବରାମ ପଲ୍ଲୀକୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଝଲସିବ ଜୀବରାମ ପଲ୍ଲୀ। ପ୍ରଶାସନର ଏହି ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଶୁକ୍ରବାର ଜୀବରାମ ପଲ୍ଲୀ ଯାଇ ବାସ୍ତବ ସ୍ଥିତି ପରଖିଛନ୍ତି ଜିଲାପାଳ।
ଲୋକନାଥ ରୋଡ୍‌ରେ ରହିଛି ଯିବରାମ ପଲ୍ଲୀ। ଏଠାରେ ରହୁଥିବା କୁଷ୍ଠରୋଗୀ ଏବଂ ସେମାନଙ୍କ ପରିବାରଙ୍କ ରୂପରେଖ ବଦଳାଇବା ପାଇଁ ଯୋଜନା କରିଛି ପ୍ରଶାସନ। ପ୍ରାରମ୍ଭିକ ଭାବେ ହୋଇଥିବା ଆଲୋଚନା ଅନୁଯାୟୀ, ଏଠାରେ ରାସ୍ତାଘାଟ ଆଦି ଭିତ୍ତିଭୂମିର ବିକାଶ ହେବ। କମ୍ୟୁନିଟି କିଚେନ୍‌, ଖେଳପଡ଼ିଆ, ଚିକିତ୍ସା ସୁବିଧା ଆଦି କରାଯିବ। ସ୍ବାବଲମ୍ବୀ ଯେପରି ହୋଇପାରିବେ ସେଥିଲାଗି କର୍ମସଂସ୍ଥାନ ଯୋଗାଇ ଦିଆଯିବ। ଯେଉଁମାନେ ପରିବାର ସହିତ ରହୁଛନ୍ତି ସେମାନଙ୍କ ପିଲାମାନେ ଯେପରି ଖେଳକୁଦ କରିବେ ତାହାର ବ୍ୟବସ୍ଥା ହେବ।
ତେବେ ଯିବରାମ ପଲ୍ଲୀର ବାସ୍ତବ ସ୍ଥିତି କ’ଣ। ସେଠାରେ ଲୋକମାନେ କିପରି ରହୁଛନ୍ତି। କେତେ ଘର ଏବଂ ପରିବାର ରହୁଛନ୍ତି। ଏସବୁର ଅନୁଧ୍ୟାନ ଲାଗି ଜିଲାପାଳ ବଲୱନ୍ତ ସିଂ ଯିବରାମ ପଲ୍ଲୀକୁ ଯାଇ ଲୋକମାନଙ୍କ ସହିତ ବସି ଆଲୋଚନା କରିଥିଲେ। କେମିତି ଚଳୁଛନ୍ତି, ସରକାରୀ ସହାୟତା, ଭତ୍ତା ଆଦି ଠିକ୍‌ ଭାବେ ମିଳୁଛି କି ନାହିଁ ସେ ସବୁ ପଚାରିଥିଲେ । ଅନେକ ବୃଦ୍ଧା ଜିଲାପାଳଙ୍କୁ ଦେଖି ଖୁସି ହୋଇଯାଇଥିଲେ । ଜିଲାପାଳଙ୍କୁ ପାଖରେ ପାଇ ସେମାନେ ତାଙ୍କର ସୁବିଧା ଅସୁବିଧା ବଖାଣିଥିଲେ। ଜିଲାପାଳଙ୍କ ସହ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପାଢୀ କହିଛନ୍ତି, ଜୀବରାମ ପଲ୍ଲୀରେ ଲୋକମାନଙ୍କର କ’ଣ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ।

Share