ଝାଡଖଣ୍ଡ କରୋନା ପଜିଟିଭ ରୋଗୀଙ୍କୁ ନେଇ ବାଲିଶଙ୍କରା ଅଞ୍ଚଳରେ ଭୟର ବାତାବରଣ

ସୁନ୍ଦରଗଡ, ୧୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ ଜିଲା ବିଶ୍ରାରେ ୨ କରୋନ ପଜିଟିଭ ରୋଗୀ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ଗତ ୧୨ତାରିଖରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ସେଠାରେ ଅବସ୍ଥାନ କରି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନମୁନା ସଂଗ୍ରହ କରୁଛନ୍ତି। ଅପରପକ୍ଷେ ଜିଲାର ପଡୋଶୀ ଝାଡଖଣ୍ଡ ସିମଡେଗା ଜିଲାରେ ୨କରୋନା ରୋଗୀ ଚିହ୍ନଟ ହେବା ଓ ଏଥିରୁ ଜଣଙ୍କର ଟ୍ରାଭେଲ ହିଷ୍ଟି ସୁନ୍ଦରଗଡ ଜିଲା ବାଲିଶଙ୍କରା ଓ ସବଡେଗା ଅଞ୍ଚଳରୁ ଫେରିଥିବା ଜଣାପଡିବା ପରେ ଏଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଉପରେ ସୀମାନ୍ତବର୍ତ୍ତୀ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟର ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିଥାନ୍ତି। ବାଲିଶଙ୍କରା ବ୍ଲକର ବନଡେଗା, କିଂଜିରିକେଲା ଓ ସବଡେଗା ବ୍ଲକର ବହୁ ଯୁବତୀ ଯୁବକ କାମଧନ୍ଦା ପାଇଁ ଗୋଆ, ଦିଲ୍ଲୀ, ହରିୟାଣା ଓ ମୁମ୍ବାଇ ଆଦି ଅଞ୍ଚଳକୁ ଯାଇଥାନ୍ତି। କରୋନା ପରେ ଅନେକ ନିଜ ଗ୍ରାମକୁ ଫେରିଥିବା ବେଳେ ଏହି ଅଞ୍ଚଳରୁ କେତେକ ବ୍ୟକ୍ତି ମଧ୍ୟ ଦିଲ୍ଲୀର ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ପଡୋଶୀ ଝାଡଖଣ୍ଡ ରାଜ୍ୟରେ ପଜିଟିଭ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ଓଡିଶା ସୀମାନ୍ତବର୍ତ୍ତୀ ସିମଡେଗା ଜିଲା ଠିଟେଇଟାଙ୍ଗର ଗ୍ରାମର ବାସିନ୍ଦା। ସୂଚନା ମୁତାବକ ଠିଟେଇଟାଙ୍ଗରର ୩ଜଣ ଏପ୍ରିଲ ୧ରେ ବାଲିଶଙ୍କରା ଆସିଥିଲେ । ଏହାପରେ ସେହି ୩ଜଣଙ୍କୁ ଝାଡଖଣ୍ଡ ପୋଲିସ କ୍ୱାରେଣ୍ଟାଇନରେ ରଖିଥିଲା । ସେମାନଙ୍କ ମଧ୍ୟରୁ ଜଣେ ୧୭ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷଣ ପରେ ମଙ୍ଗଳବାର ପଜିଟିଭ ମିଳିଛି। ଏହି ଘଟଣା ଜଣାପଡିବା ପରେ ବାଲିଶଙ୍କରା ଅଞ୍ଚଳରେ ଆଶଙ୍କା ଦେଖା ଦେଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସରୋଜ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରୁ ୨୦୯ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ଏଥିମଧ୍ୟରୁ ବିଶ୍ରା ଅଞ୍ଚଳର ୨ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୬ଟିର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ।