ଝାଡ଼ଖଣ୍ଡ ଭୋଟବେଳେ ହିଂସା: ଗୁଳିମାଡ଼ରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୭ା୧୨(ପି.ଟି.): ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ସିସାଇ ବିଧାନସଭା ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬ ନଂ. ବୁଥରେ କୌଣସି କାରଣକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖାଦେବାରୁ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା। ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଟେକାପଥର ମାଡ଼କରିବାରୁ ଜଣେ ପୋଲିସ ଇନ୍ସସ୍ପେକ୍ଟରଙ୍କ ସମେତ ୮ ପୋଲିସ, ଜଣେ ଖବରଦାତା ଆହତ ହୋଇଥିଲେ। ପରେ ବୁଥରେ ନିୟୋଜିତ ସୁରକ୍ଷାକର୍ମୀଙ୍କଠାରୁ ଗ୍ରାମବାସୀ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଶେଷରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ପ୍ରଥମେ ଲାଠିଚାର୍ଜ ଓ ପରେ ଗୁଳିମାଡ଼ କରିଥିଲା। ଗୁଳିମାଡ଼ରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ସହ ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ଗିଲାନି ଅନ୍‌ସାରୀ ବୋଲି ଦର୍ଶାଯାଇଛି। ଆହତ ଅସ୍‌ଫାକ ଅନ୍‌ସାରି ଓ ଖୁଫା ଅନ୍‌ସାରିଙ୍କୁ ରାଞ୍ଚି ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା ଗୁମ୍‌ଲା ଏସ୍‌ପgିଏ..କେ.ଝା ପ୍ରକାଶ କରିଛନ୍ତି। ଏହି ବୁଥରେ ଭୋଟଗ୍ରହଣ ବନ୍ଦ ରଖାଯାଇଥିବାବେଳେ ଅନ୍ୟକୌଣସି ଦିନ ପୁଣି ଭୋଟଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଶନିବାର ରାଜ୍ୟର ୨୦ ଆସନ ଲାଗି ସକାଳ ୭ରୁ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୫% ହୋଇଥିବା ଜଣାପଡ଼ିଛି।

Share