Categories: ଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ରବିବାର ମୋହରାବଦି ଗ୍ରାଉଣ୍ଡରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ବହୁ ନେତାମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଆର୍‌ ଜେଡି ନେତା ତେଜସ୍ବୀ ଯାଦବ, ଆମ୍‌ ଆଦମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ, କାନିମୋଝି ପ୍ରମୁଖ ଯୋଗ ଦେଇଥିଲେ। ଝାଡ଼ଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ନୂଆ ଝାଡ଼ଖଣ୍ଡ ଗଠନ ପାଇଁ ଶପଥ ଗ୍ରହଣ ସମାରୋହକୁ ସୋରେନ ‘ସଂକଳ୍ପ ଦିବସ’ ବୋଲି କହିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାମେଶ୍ୱର ଓରାନ ଓ ଆର୍‌ଜେଡି ନେତା ସତ୍ୟାନନ୍ଦ ଭୋଗତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ ଏଥର ମେଣ୍ଟ ସରକାର ଝାଡ଼ଖଣ୍ଡର ଶାସନ ଭାର ହାତକୁ ନେଇଛି।

Share