ଝାରପଡ଼ା ଜେଲରେ ଗଞ୍ଜେଇ, ସିଗାରେଟ, ଟଙ୍କା

ଭୁବନେଶ୍ୱର,୯।୬ (ବ୍ୟୁରୋ): ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଚାଲୁଥିବା ଓ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବାର ଭିଡ଼ିଓ ରବିବାର ଭାଇରାଲ ହେବାପରେ ଚଢ଼ାଉ କରାଯାଇଥିଲା। ଏବେ ରାଜ୍ୟର ଅନ୍ୟତମ ବଡ଼ କାରାଗାର କୁହାଯାଉଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ର ଏକ ଭିଡିଓ ସୋମବାର ଭାଇରାଲ ହୋଇଛି। ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ ଟଙ୍କା ଦିଆନିଆ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ଟଙ୍କା ଦେଇ ନିଶା ଓ ମାଦକ ଦ୍ରବ୍ୟ ଜେଲ୍‌ ଭିତରକୁ ଆସୁଥିବା ଓ ଏକ ନିର୍ଦ୍ଦିଷ୍ଟ ସେଲ୍‌ ଭିତରେ ଏଭଳି ଭିଡ଼ିଓ ହୋଇଥିବା ଜଣାପଡୁଛି। ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏପରି ବେଆଇନ କାରବାର ଚାଲିଛି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ଭିଡ଼ିଓ ରାଜ୍ୟ ଜେଲ୍‌ ଭିତର ଗୁମର ପଦାକୁ ଆଣିଥିବାବେଳେ ଏହାକୁ ନେଇ ଅଡୁଆରେ ପଡିଛି ଜେଲ ବିଭାଗ। ଉକ୍ତ ଭିଡ଼ିଓ କେବେ, କିଏ ଶୁଟିଂ କଲା ଓ ତାହା ପଦାକୁ କିପରି ଆସିଲା ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।
ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଉକ୍ତ ଭିଡ଼ିଓଟି ୭ ମାସ ତଳର। କିଏ ଭିଡ଼ିଓ କରିଛି ଓ କିଭଳି ଏଭଳି ନିଶା କାରବାର କରାଯାଉଛି ତାହାର ତଦନ୍ତ କରାଯିବ। ଯେତେବେଳେ ଜେଲର ଏଭଳି କିଛି ଖବର ଆମ ଦୃଷ୍ଟିକୁ ଆସୁଛି ଆମେ ତାହାକୁ ଗୁରୁତର ସହ ନେଇ ତଦନ୍ତ କରୁଛୁ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଜିଲାପାଳ, ଏସ୍‌ପି, ସ୍ଥାନୀୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଉଛୁ। ଏବେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବ। ଏଥିସହ ଉକ୍ତ ଭିଡ଼ିଓକୁ ମଧ୍ୟ ଦାଖଲ କରାଯିବ। ପୋଲିସ ତଦନ୍ତ କରିବ। ହୋଇପାରେ ଆଗରୁ ଯେଉଁମାନଙ୍କୁ ବଦଳି କରାଯାଇଛି ସେମାନଙ୍କ ସ୍ବାର୍ଥରେ କିଛି ଆଞ୍ଚ ଆସିଥିବାରୁ ବଦନାମ କରିବା ପାଇଁ ଏସବୁ କରିଥାଇ ପାରନ୍ତି। ତେଣୁ ସବୁ ଦିଗକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।

Share