ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍‌ସିବି ସ୍ଥାନାନ୍ତର

ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍‌.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର ତାର ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାକୁ ମିଶାଇ ପ୍ରଦୀପ ୩ଥର ଆତ୍ମହତ୍ୟା ଉଦ୍ୟମ କଲେଣି। ତେବେ ବାରମ୍ବାର ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଯୋଗୁ ତାଙ୍କୁ କଟକ ଏସ୍‌ସିବି ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି।

ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଦୀପ ଝାରପଡ଼ା ଜେଲରେ ରହୁଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ କୌଣସି କାରଣକୁ ନେଇ ଜେଲର କିଛି କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଏକ ଇନଭର୍ଟର ତାର ନେଇ ଟଏଲେଟ ଭିତରକୁ ପଳାଇଥିଲେ। ଶୌଚାଳୟକୁ ଯିବା ରାସ୍ତାରେ ୩ଟି କବାଟ ଭାଙ୍ଗିବା ସହ ବେକରେ ତାର ଗୁଡ଼ାଇ ଏକ ଝରକା ରେଲିଂରେ ଝୁଲିପଡ଼ିଥିଲେ। ଜେଲର କର୍ମଚାରୀମାନେ ପ୍ରଦୀପ ନ ଥିବା ଜାଣିବା ପରେ ତାଙ୍କୁ ଖୋଜା ଯାଇଥିଲା। ପରେ ସେ ଶୌଚାଳୟ ମଧ୍ୟରେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜେଲ ଅଧିକ୍ଷକ ଶୁଭକାନ୍ତ ମିଶ୍ରଙ୍କ ସହ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଜେଲ ପରିସରରେ ଥିବା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ହେଲେ ବାରମ୍ବାର ସେ ଆତ୍ମହତ୍ୟା ଉଦ୍ୟମ କରୁଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ଅଧୀକ୍ଷକ ମିଶ୍ର କହିଛନ୍ତି। ପ୍ରଦୀପଙ୍କ ଆତ୍ମହତ୍ୟା ବାବଦରେ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଘଟଣା ନେଇ ଜେଲ ବିଭାଗ, ଖୋର୍ଦ୍ଧା ଜିଲାପାଳ ଓ ଭୁବନେଶ୍ୱର ଡିସିପିଙ୍କୁ ଜଣାଯାଇଥିବା ଜଣେ ଜେଲ ଅଧିକାରୀ କହିଛନ୍ତି।

Share