ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଏହି ହସ୍ପିଟାଲ କାର୍ଯ୍ୟ ଚାଲିଛି। ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ୨୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହସ୍ପିଟାଲ ପାଇଁ ସମସ୍ତ କର୍ମଚାରୀ ନିଯୁକ୍ତି ସରିଛି। ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇ ସାରିଛି। ଏହି କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ଭାବେ ରହିବା ବ୍ୟବସ୍ଥା କରାଯାଇଛି। ପ୍ରାୟ ସମସ୍ତ କାର୍ଯ୍ୟ ସରିଯାଇଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍‌ କାର୍ଯ୍ୟ ଓ ରବିବାର ସନ୍ଧ୍ୟା ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ସରିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ହସ୍ପିଟାଲ ସ୍ଥାପନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠି ବିନିଯୋଗ କରାଯାଉଛି। ଭୁବନେଶ୍ୱର ହାଇଟେକ୍‌ ମେଡିକାଲ ଓ ଝାରସୁଗୁଡା ବେଦାନ୍ତ ସହଯୋଗ କରୁଛି। ଗତ ୧୩ ତାରିଖରେ ଜିଲା ପ୍ରଶାସନ, ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ଓ ହାଇଟେକ ମେଡିକାଲ କଲେଜ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଚିକିତ୍ସାଳୟରେ ୧୧୦ଟି ବେଡ ବ୍ୟବସ୍ଥା କରାଯାଇଛି, ଯେଉଥିରେ ୧୦ଟି ବେଡ୍‌ ଆଇସିୟୁରେ ଅନ୍ତର୍ଭୁକ୍ତ ରହିଛି ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।

Share