ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା, ସୁସ୍ଥ ହେଲେଣି ୬

ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଜିଲାରେ ଶନିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ୬ ଜଣ ସୁସ୍ଥ ହୋଇସାରିଛନ୍ତି।
ଜିଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ବ୍ରଜରାଜନଗର ଅଞ୍ଚଳରେ ଜଣେ ୩୩ ବର୍ଷୀୟ ଯୁବକଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ସେ ଗତ ୩୧ ତାରିଖରେ ଟ୍ରେନ୍‌ ଯୋଗେ ଚେନ୍ନାଇରୁ ଫେରିଥିଲେ। ସେହିଦିନଠାରୁ କ୍ୱାରାଣ୍ଟାଇନ୍‌ରେ ଥିଲେ। ଲୋକେ ଏଥିପାଇଁ କୌଣସି ଭୟଭୀତ ହୁଅନ୍ତି ନାହିଁ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଯୁବକଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ବେଳେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ନେଇ ପ୍ରଶାସନ ପଦକ୍ଷେପ ନେଇଛି।
ପ୍ରକାଶ ଯେ, ଗତ ୩୦ ଏପ୍ରିଲରେ ବ୍ରଜରାଜନଗର ମ୍ୟୁନିସିପାଲଟିର ବୁଢ଼ୀଜାମଠାରେ ୧୭ ବର୍ଷୀୟା ଯୁବତୀ ଓ ମେ’ ୩ ତାରିଖରେ ଲଖନପୁର ବ୍ଲକ କୋଡାଲୋଇ ପଞ୍ଚାୟତର ଡହଲଡେରା ଗ୍ରାମର ଜଣେ ମହିଳାଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା। ସେହିପରି ଝାରସୁଗୁଡା ସହର ମଙ୍ଗଳବଜାର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍‌ ଥିବା ମେ’ ୨୨ ସନ୍ଧ୍ୟାରେ ଜଣାପଡ଼ିଥିଲା। ତେବେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ପରିବାରର ଜଣେ ବର୍ଷକର ଶିଶୁକନ୍ୟା କରୋନା ପଜିଟିଭ୍‌ ଥିବା ୨୩ ତାରିଖରେ ଜଣାପଡ଼ିଥିଲା। ଏହିଦିନ ମଧ୍ୟ ବ୍ରଜରାଜନଗର ଟିଏମ୍‌ସିରେ ଥିବା ଜଣେ ମହାରାଷ୍ଟ୍ର ଫେରନ୍ତା ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ମେ’ ୨୬ରେ ବେଲପାହାଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରେ ଓ ଗତ ମେ’ ୨୯ତାରିଖରେ ଝାରସୁଗୁଡ଼ା ସହର ପୁରୁଣାବସ୍ତି ଅଞ୍ଚଳର ୨୭ ବର୍ଷୀୟ ମୁମ୍ବାଇ ଫେରନ୍ତା ଯୁବକଙ୍କଠାରେ କରୋନା ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରୁ ମୋଟ୍‌ ୬ ଜଣ ସୁସ୍ଥ ହୋଇସାରିଛନ୍ତି।