ଝାରସୁଗୁଡ଼ାରେ ହେବ ରକ୍ତଶିକୁଳି ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ମହାନଦୀ କୋଲ୍‌ ଫିଲ୍‌ଡ ଭଳି ମହାରତ୍ନ କମ୍ପାନୀ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ(ସିଏସ୍‌ଆର) ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ପାଣ୍ଠି ସମ୍ପର୍କିତ ସମୀକ୍ଷା ବୈଠକ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝାରସୁଗୁଡ଼ାରେ ସିକିଲ୍‌ସେଲ୍‌ ରିସର୍ଚ୍ଚ ସେଣ୍ଟର(ରକ୍ତଶିକୁଳି ଗବେଷଣା କେନ୍ଦ୍ର) ଓ ଟ୍ରମା କେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା।
ମହାନଦୀ କୋଲ୍‌ଡ ଫିଲ୍‌ଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବି.ଏନ୍‌. ଶୁକ୍ଳା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲେ। ତା’ମଧ୍ୟରୁ ମୁଖ୍ୟତଃ ତାଳଚେରଠାରେ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ମେଡିକାଲ୍‌ କଲେଜର ନିର୍ମାଣ କାର୍ଯ୍ୟ ସରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଝାରସୁଗୁଡ଼ାଠାରେ କମ୍ପାନୀ ପକ୍ଷରୁ ୭୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ୍‌ କେୟାର ସେଣ୍ଟର, ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ୱାର୍ଡ ଓ ଆଇସିୟୁ, ବୁର୍ଲାଠାରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଗର୍ଭବତୀ ମହିଳା ଓ ଶିଶୁ ସ୍ବାସ୍ଥ୍ୟ କମ୍ପ୍ଲେକ୍ସ ଓ ଆଲିମ୍‌କୋ ସଂସ୍ଥା ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ୫ କୋଟି ଟଙ୍କାର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ଜିଲା ଲଖନପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍‌ ନିର୍ମାଣ ଶେଷ ହେବା ପରେ ରୋଗୀସେବା ଆରମ୍ଭ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ବହୁତଗୁଡ଼ିଏ ଯୋଜନା ହାତକୁ ନିଆଯାଇଛି ବୋଲି ଶୁକ୍ଳା ପ୍ରକାଶ କରିଥିଲେ। ତାଳଚେର ମେଡିକାଲ୍‌ କଲେଜ୍‌ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

Share