Advertisement

ଝାରସୁଗୁଡ଼ା ଡାକ୍ତରଖାନାରେ ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ ଲଗାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହେବା ପରେ ଜଣେ ନର୍ସ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକ୍‌ଶନ ଦେବାର ଭିଡିଓ ଭାଇରାଲ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସେ ଭାରପ୍ରାପ୍ତ ସିଡିଏମ୍‌ଓ ଡା. ତୋଳାମଣି ପଟେଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଖୁଣ୍ଟାପାଲି ପଞ୍ଚାୟତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ(୩୦)ଙ୍କୁ ଗୁରୁତର ଅବସ୍ଥାରେ ବୁଧବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ କ୍ଷେତ୍ରମଣିଙ୍କ ମୃତ୍ୟୁ ପରେ ବି ଦାୟିତ୍ୱରେ ଥିବା ନର୍ସ ଚିକିତ୍ସା ଜାରି ରଖି ସାଲାଇନ୍‌ ଲଗାଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଇଞ୍ଜେକ୍‌ଶନ ମଧ୍ୟ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ମୃତକଙ୍କ ଭାଇ ଛାତ୍ରଲାଲ୍‌ ଘଟଣା ଦେଖି ବିରୋଧ କରିବା ସହ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ କାହିଁକି ସାଲାଇନ୍‌ ଓ ଇଞ୍ଜେକ୍‌ଶନ ଦିଆଯାଉଛି ବୋଲି କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ପରେ ସେମାନେ ସେଠାରୁ ଚାଲିଯାଇଥିଲେ। କେହି ଜଣେ ବ୍ୟକ୍ତି ଉକ୍ତ ଘଟଣାବଳୀକୁ ଫୋନ୍‌ରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଏହା ଭାଇରାଲ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share