ଝାରସୁଗୁଡ଼ା ବିମାନବନ୍ଦରରେ ସେବା ବାଧାପ୍ରାପ୍ତ : ବାରମ୍ବାର ବିମାନ ବାତିଲ ନେଇ ଅସନ୍ତୋଷ

ଭୁବନେଶ୍ୱର, ୮।୭(ବ୍ୟୁରୋ) : ଖରାପ ପାଗ ଯୋଗୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ସେବା ବନ୍ଦ ହୋଇଯାଇଛି। ଗତମାସରେ ମଧ୍ୟ ଅନେକ ବିମାନ ବାତିଲ ହୋଇଥିଲା। କଲିକତା, ହାଇଦ୍ରାବାଦ, ଦିଲ୍ଲୀ, ରାୟପୁର, ଭୁବନେଶ୍ୱର ଯିବାକୁ ଥିବା ବିମାନ ବାରମ୍ବାର ବାତିଲ ହେଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିମାନସେବାକୁ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଏନେଇ ସ୍ପଷ୍ଟ କରାଯାଇଛି। ସମସ୍ୟାର ସମାଧାନ ପାଇଁ ଇନ୍‌ଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌) ଯନ୍ତ୍ର ଲଗାଯିବା ପ୍ରକ୍ରିୟା ଜାରି ରହିଛି ଓ ଡିଭିଓଆର୍‌ ଡିଏମ୍‌ଇ ପ୍ରୋସିଜିଓର ଚାଲିଛି। ଖୁବ୍‌ଶୀଘ୍ର ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗୋଟିଏ ସପ୍ତାହ ହେବ ସ୍ପାଇସ୍‌ ଜେଟ୍‌ ଓ ଆଲିଆନ୍ସ ଏୟାର ବିମାନ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ କରିନାହିଁ। ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ରାୟପୁର ଓ ଭୁବନେଶ୍ୱରକୁ ଏହି ବିମାନ ଯାତ୍ରା କରିଥାଏ। ବିମାନ ଉଡ଼ାଣ ବନ୍ଦ ରହିଥିବାରୁ ପ୍ରତିଦିନ ଯାତ୍ରୀମାନେ ବିମାନବନ୍ଦର ଆସି ଅପେକ୍ଷା କରି ଫେରିଯାଉଛନ୍ତି। ପାଗ ଖରାପ ଯୋଗୁ ବିମାନ ବାତିଲ ହେଉଥିବା ଘୋଷଣା କରାଯାଉଛି। ଏହାଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ପ୍ରତି ଭରସା ଓ ବିଶ୍ୱାସ ତୁଟିଯାଉଛି। ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି, ବହୁତ ଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ। ଆଇଏଲ୍‌ଏସ୍‌ ଯନ୍ତ୍ର ଲଗାଯିବା ପରେ ପାଗ ଖରାପ ଯୋଗୁ ବିମାନ ଦିଗ ପରିବର୍ତ୍ତନ କରିବା ଓ ଅବତରଣ କରିବାରେ କୌଣସି ଅସୁବିଧା ହେବ ନାହିଁ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଏୟାର ଓଡ଼ିଶା ବିମାନ ସେବା ପ୍ରଦାନ କରିଥିଲା। ସେତେବେଳେ ଝାରସୁଗୁଡ଼ାରୁ କେବଳ ଭୁବନେଶ୍ୱରକୁ ବିମାନ ଉଡ଼ାଣ ହେଉଥିଲା। କିନ୍ତୁ କିଛିଦିନ ଚାଲିବା ପରେ ଏୟାର ଓଡ଼ିଶା ସେବା ବନ୍ଦ କରିଦେଇଥିଲା। କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡା ବିମାନବନ୍ଦରକୁ ପୁଣି ଚାଲୁ କରିବା ପାଇଁ ପଦକ୍ଷେପ ନେଇଥିଲେ। ଗତ ମାର୍ଚ୍ଚ ୩୧ରେ ସ୍ପାଇସ୍‌ ଜେଟ୍‌ ଓ ଜୁନ୍‌ ୬ରେ ଆଲିଆନ୍ସ ଏୟାର ବିମାନ ସେବା ପ୍ରଦାନ ଆରମ୍ଭ କରିଥିଲା।

Share