ଝାରସୁଗୁଡାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ରାଜ୍ୟ ଯୋଜନା ଓ ସଂଯୋଜନା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତରେ ଆସି ସର୍କିଟ୍‌ ହାଉସ୍‌ରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିରେ ଜିଲାପାଳ ସରୋଜ କୁମାର ସାମଲ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଡେପୁଟି କଲେକ୍ଟର ଆଲୋମଣି ସେଠୀ, ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଶରତ କୁମାର ନାୟକ, ସହକାରୀ ନିର୍ଦ୍ଦେଶକ ଦୁଃଶାସନ ନାୟକ, ପ୍ରକଳ୍ପ ପର୍ଯ୍ୟବେକ୍ଷଣ ୟୁନିଟ୍‌ର ପ୍ରମୁଖ ନଳିନୀ କୁମାର ଦାସ ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ବିଭିନ୍ନ ବିଭାଗକୁ ମଞ୍ଜୁର ହୋଇଥିବା ଅର୍ଥର ସଦ୍‌ ବିନିଯୋଗ ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୧୨୪.୭୬ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୨୦୨.୧୭ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି। ଏଥିମଧ୍ୟରେ ବିଶେଷଭାବେ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ପାନୀୟଜଳ ଯୋଗାଣ ଆଦି ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ପ୍ରଦାନ କରାଯାଇଥିବାରୁ ମନ୍ତ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିଥିଲେ। ନିୟମିତ ବ୍ୟବଧାନରେ ଖଣିଜ ପ୍ରତିଷ୍ଠାନ ପାଣ୍ଠିର କାର୍ଯ୍ୟକାରିଣୀ ବୈଠକ ଡାକିବା ସାଙ୍ଗକୁ ପ୍ରକଳ୍ପଗୁଡିକ କାର୍ଯ୍ୟକାରିତା ଓ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ବେହେରା ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ।