ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା

କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ ଅସଲ ହିରୋ ବୋଲି କହୁଛନ୍ତି। କାରଣ ସେ ତାଙ୍କ ଝିଅମାନଙ୍କ ପାଠପଢା ପାଇଁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରୁଛନ୍ତି। ଆଉ ସେଠାରେ ପିଲାମାନଙ୍କର କ୍ଲାସ ସରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିବା ପରେ ସେମାନଙ୍କୁ ପୁଣି ଘରକୁ ନେଇ ଫେରୁଛନ୍ତି। ସ୍ବଦେଶୀ କମିଟି ଫର୍‌ ଆଫଗାନିସ୍ତାନ ନାମକ ଏକ ଏନ୍‌ଜିଓର ସୂଚନା ଅନୁଯାୟୀ ମିୟା ପ୍ରତିଦିନ ବାଇକ୍‌ରେ ସେମାନଙ୍କ ୩ ଝିଅଙ୍କୁ ସ୍କୁଲ ନେଇ ଯାଇଥାଆନ୍ତି। ମିୟା ନିଜ ପରିବାର ସହ ଆଫଗାନିସ୍ତାନର ଶରାନାରେ ରୁହନ୍ତି। ତାଙ୍କର ଏହି କାହାଣୀକୁ ଉକ୍ତ ଏନ୍‌ଜିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି। ଏହାପରେ ମିୟାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ସେ କୁହନ୍ତି ତାଙ୍କ ଅଞ୍ଚଳରେ କେହି ମହିଳା ବା ଝିଅ ଶିକ୍ଷିତ ନୁହେଁ। ତେଣୁ ଏଠାରେ କେହି ମହିଳା ଡାକ୍ତର ନାହାଁନ୍ତି। ତେଣୁ ସେ ତାଙ୍କ ଝିଅମାନଙ୍କୁ ଉଚ୍ଚ ଶିକ୍ଷିତା କରିବାକୁ ଚାହାଁନ୍ତି। ଏହା ବ୍ୟତୀତ ସେ ନିଜେ ଅପାଠୁଆ ହୋଇଥିବାରୁ ପିଲାମାନେ ଶିକ୍ଷିତ ହେବା ଜରୁରୀ ବୋଲି ସେ କହିଛନ୍ତି।

Share