ଝିଅ ବାହାଘର ପାଇଁ ଥିବା ସୁନାଅଳଙ୍କାର ଚୋରି ଘଟଣା: ୪ ଅଭିଯୁକ୍ତ ଗିରଫ; ଅଳଙ୍କାର, ଟଙ୍କା ଜବତ

ଭାପୁର/ଖଣ୍ଡପଡା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଝିଅର ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଗହଣା ଚୋରି ହେବା ଘଟଣାରେ ଫତେଗଡ଼ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଚୋରି ହୋଇଥିବା ସାମଗ୍ରୀକୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ନୟାଗଡ଼ ଜିଲା ଭାପୁର ବ୍ଳକ ଫତେଗଡ ଥାନା ଶାସନ ପଞ୍ଚାୟତ ରଗଡିପଡା ଗ୍ରାମର ବୀରବର ବେହେରା ନିଜ ବଡ଼ଝିଅର ବାହାଘର ପାଇଁ ଚଳିତ ମାସ ୨୦ ତାରିଖକୁ ଧାର୍ଯ୍ୟ କରିଥିଲେ । ଝିଅ ପାଇଁ କିଣିଥିବା ୨ଟି ସୁନାହାର, ସୁନା ମୁଦି, ପେଣ୍ଡି ଫୁଲ ଓ ୨ହଳ ପାଉଁଜି ସହ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା ସେ ଘରେ ରଖିଥିଲେ । ଦୁର୍ବୃତ୍ତମାନେ ଗତମାସ ୩୦ ତାରିଖ ରାତିରେ ଘରେ ପଶି ଆଲମିରା ଭାଙ୍ଗି ସମସ୍ତ ଅଳଙ୍କାର ଓ ଟଙ୍କା ଚୋରିକରି ନେଇଯାଇଥିବା ବୀରବର ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ପୋଲିସ ୮୯/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କରବର ଗ୍ରାମର ଶଙ୍କର୍ଷଣ ପଢିଆରୀ(୨୬)ଙ୍କୁ ଶୁକ୍ରବାର ପୋଲିସ ମହାନଦୀ କୂଳ ଖଣ୍ଡିଆ ଦେଉଳଠାରୁ ଗିରଫ କରିଥିଲା। ଏଥିସହ ସେ ନିଜ ବାଡ଼ି ପାଖ ମାଟିତଳେ ପୋତି ରଖିଥିବା ୪୯ ହଜାର ୫ଶହ ଟଙ୍କା, ୨ଟି ସୁନା ହାର, ସୁନା ମୁଦି, ପେଣ୍ଡି ଫୁଲ ଓ ପାଉଁଜି ଜବତ କରିଥିଲା। ଏହାପରେ ଶଙ୍କର୍ଷଣଙ୍କ ଅନ୍ୟ ସହଯୋଗୀ କରବର ଗ୍ରାମର ଜିତେନ୍ଦ୍ର ରାଉତ(୨୩) ଏବଂ ମଣିପୁର ଗ୍ରାମର ପ୍ରଶାନ୍ତ ବଳିୟାରସିଂ ଓ ଲକ୍ଷ୍ମୀଧର ଜେନା(୨୦)ଙ୍କୁ ଗିରଫ କରି ପୋଲିସ ଶନିବାର ସନ୍ଧ୍ୟାରେ ଖଣ୍ଡପଡା କୋର୍ଟ ଚାଲାଣ କରିଛି ବୋଲି ଫତେଗଡ ଥାନା ଆଇଆଇସି ନିରଞ୍ଜନ ଧିର ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।