ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର ନିଜ ଝିଅଙ୍କ ବିବାହ କାର୍‌କୁ ଗୋବର ଲେପ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଗୋବରର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ଡାକ୍ତର ଜଣକ ଏପରି କରିଥିବା ଜଣାପଡିଛି। ତାଙ୍କ ମତରେ ଗୋବର ଦ୍ୱାରା କ୍ୟାନସରର ଚିକିତ୍ସା କରାଯାଇ ପାରୁଛି। ଏହା ଶରୀରରୁ ଅନ୍ୟ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଏହାର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ସେ ତାଙ୍କ ଝିଅ ବାହାଘରରେ ନୂଆ ଗାଡ଼ିକୁ ଗୋବରର ଲେପ ଦେଇଛନ୍ତି। ଗ୍ଲୋବାଲ ଓ୍ବାର୍ମିଂ ବଢୁଥିବା ବେଳେ ପରିବେଶକୁ ସୁରକ୍ଷା ଦେବାକୁ ଦେଶି ଗାଈର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଗୋବର ଲେପ ଦେଇ ଗାଡି ଚଲାଇଲେ ଏହାର କ୍ୟାବିନର ତାପମାତ୍ରା କମ୍‌ ହୋଇଥାଏ ବୋଲି ସେ ଯୁକ୍ତି କରିଛନ୍ତି। ତାଙ୍କ ମତରେ ଗୋବର ମୋବାଇଲ ରେଡିଏଶନରୁ ମଧ୍ୟ ସୁରକ୍ଷା ଦେଇଥାଏ। ଏହାସହ ଖାଲି ଗାଡି ଚଲାଇଲେ ପ୍ରତିଦିନ ଅତିକମ୍‌ରେ ୩ ବାଲ୍‌ଟି ପାଣି ଗାଡ଼ି ଧୋଇବାକୁ ଆବଶ୍ୟକ ପଡିଥାଏ। ଯଦି ଗୋବର ଲେପ ଦିଆଯାଉଛି ତେବେ ନିୟମିତ ଭାବେ ଗାଡ଼ି ଧୋଇବା ଆବଶ୍ୟକ ପଡିବ ନାହିଁ। ଫଳରେ ପାଣି ମଧ୍ୟ ନଷ୍ଟ ହେବ ନାହି ବୋଲି ଡାକ୍ତର ଦୁଧଲ କହିଛନ୍ତି।

Share