Categories: ଫୁରସତ

ଝିଅ ବିବାହ ପୂର୍ବରୁ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର: ବିଦା ପରେ ଜୀବନ ଫେରିଲା

କୌଣସି ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ପୁଣି ଥରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲିବା ଘଟଣା ଆମେ ବହୁବାର ଶୁଣିବାକୁ ପାଇଛୁ। ମାତ୍ର କୌଣସି ବ୍ୟକ୍ତି ମରିବାର କିଛି ସମୟ ପରେ ପୁଣିଥରେ ଜୀବିତ ହୋଇଯିବା ଅସମ୍ଭବ କଥା। ଉତ୍ତରପ୍ରଦେଶର ରାମପୁରରେ ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ରାମପୁରର ନୌଖରୀଦ ଗ୍ରାମରେ ଭାଗମଲ ସିଂହ(୫୦)ଙ୍କ ଝିଅ ରାଧିକାଙ୍କ ବିବାହ ପଡ଼ୋଶୀ ଗ୍ରାମର ପୁଅ ସହ ଠିକ୍‌ ହେଲା। ପୁଅଘର ଲୋକେ ବରଯାତ୍ରୀ ସହ ଝିଅଘରେ ପହଞ୍ଚିବା ପରେ ହଠାତ୍‌ ଭାଗମଲଙ୍କ ସ୍ବାସ୍ଥ୍ୟ ଖରାପ ହୋଇଗଲା। ଗାଁ ଡାକ୍ତରଙ୍କ ନିକଟକୁ ତାଙ୍କୁ ନିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପରିବାର ଲୋକେ ଝିଅକୁ କିଛି ନ ଜଣାଇ ତାଙ୍କୁ ବିଦା କରିଦେଲେ। ଏହା ପରେ ଭାଗମଲଙ୍କ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରାଗଲା। ଆଶ୍ଚର୍ଯ୍ୟର କଥା, ଠିକ୍‌ ଏହି ସମୟରେ ଭାଗମଲ ପ୍ରଶ୍ୱାସ ନେବା ସହ ଉଠି ବସି ପଡ଼ିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ କାଶୀପୁର ଉତ୍ତରାଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ତେବେ ଡାକ୍ତରଙ୍କ କହିବା କଥା, ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ବିଶେଷ ଅଗ୍ରଓ୍ବାଲଙ୍କ କହିବା ଅନୁସାରେ ଏପରି ଘଟଣା ଘଟିବା ପରେ କେହି ଜୀବିତ ହୋଇ ନ ଥାଆନ୍ତି। ଝିଅର ବିବାହ କାମ କରି ସେ ଥକି ପଡ଼ିଥିବେ। ମାନସିକ ଚିନ୍ତାରେ ମଧ୍ୟ ଥାଇପାରନ୍ତି। ଆରାମ କରିବାକୁ ସମୟ ନ ମିଳିବାରୁ ସେ ସଂଜ୍ଞାହୀନ ହୋଇଗଲେ ଏବଂ ତାଙ୍କ ଶରୀର ମୃତପ୍ରାୟ ନିଶ୍ଚଳ ହୋଇଗଲା।

Share